Categories: ଜାତୀୟ

ମୁନ୍ନା ଭାଇ ଏମ୍‌ବିବିଏସ୍‌ ଭଳି ସଭିଙ୍କୁ ଚୁନା ଲଗାଇଲେ ଚା’ ବିକାଳିଙ୍କ ପୁଅ

ନୂଆଦିଲ୍ଲୀ,୧୧।୨: ବଲିଉଡ୍‌ ଫିଲ୍ମ ମୁନ୍ନା ଭାଇ ଏମ୍‌ବିବିଏସ୍‌ ଭଳି ଘଟଣା ସାମ୍ନାକୁ ଆସିଛି ଆସାମରୁ। ଫିଲ୍ମରେ ଯେଉଁଭଳି ମୁନ୍ନା ସଭିଙ୍କୁ ଠକୁଛନ୍ତି ଠିକ୍‌ ସେହିଭଳି ଗଣମାଧ୍ୟମଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ବୋକା ବନେଇଛନ୍ତି ୨୪ ବର୍ଷୀୟ ରାହୁଲ କୁମାର ଦାସ।

ଗରିବ ଚା’ ବିକ୍ରେତାଙ୍କ ପୁଅ ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସମ୍ମାନଜନକ ଏମ୍ସରେ ସିଟ୍‌ ହାସଲ କରିଥିବା ଖବର ଗତ ଏକ ସପ୍ତାହ ହେଲା ସୋସିଆଲ ମିଡିଆରେ ଟ୍ରେଣ୍ଡିଂ କରୁଥିଲେ। ଏହି କାହାଣୀ ଏବେ ମିଛ ସାବ୍ୟସ୍ତ ହୋଇଛି।

ନିଟ୍‌ ପରୀକ୍ଷା ସମ୍ମୁଖୀନ ହୋଇଥିବା ଆସାମର ଛାତ୍ରୀଛାତ୍ରଙ୍କ ଏକ ଗୋଷ୍ଠୀ ରାହୁଲଙ୍କ ଦାବିକୁ ମିଛ ସାବ୍ୟସ୍ତ କରିଛି। ରାହୁଲ ଗଣମାଧ୍ୟମକୁ ଯେଉଁ ରୋଲ ନମ୍ବର ପ୍ରଦାନ କରିଥିଲେ। କ୍ରସ ଭେରିଫିକେଶନ ପରେ ତାହା ପ୍ରକୃତରେ ହରିୟାଣାର କିରନଜୀତ କୌର ନାମକ ଜଣେ ଛାତ୍ରଙ୍କର ବୋଲି ଜଣାପଡ଼ିଥିଲା।

ସ୍ଥାନୀୟ ଗଣମାଧ୍ୟମ ପ୍ରଥମେ ରାହୁଲଙ୍କ କାହାଣୀ ନେଇଥିଲା। ତା’ ପରେ ଜାତୀୟ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ରାହୁଲଙ୍କ ଖବର ଟ୍ରେଣ୍ଡିଂ ପାଲଟିଥିଲା। ଏପରି କି ତାଙ୍କ ଶିକ୍ଷାଗତ ଖର୍ଚ୍ଚ ଭାର ରାଜ୍ୟ ସରକାର ଉଠାଇବେ ବୋଲି କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା। ମୁଖ୍ୟମନ୍ତ୍ରୀଙ୍କଠାରୁ ଗୋଟିଏ ପାଦ ଆଗକୁ ଯାଇ କ୍ୟାବିନେଟ୍‌ ମନ୍ତ୍ରୀ ରଞ୍ଜୀତ କୁମାର ଦାସ ପଥଚାରକୁଚିରେ ପହଞ୍ଚି ରାହୁଲଙ୍କୁ ସମ୍ମାନିତ କରିଥିଲେ।

କିନ୍ତୁ ପ୍ରକୃତ କଥା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ରାହୁଲଙ୍କ ମା’ଙ୍କ ଚା’ ଦୋକାନ ଭାଙ୍ଗି ଦେଇଛନ୍ତି। ମିଥ୍ୟା ପ୍ରଚାର ଘଟଣାରେ ରାହୁଲ, ତାଙ୍କ ମା’ ଓ ତାଙ୍କ ସାନ ଭାଇ ସାମିଲ ଥିବା ଦାବି କରାଯାଉଛି।

Share