Categories: ଜାତୀୟ

୨୦୨୫ ସୁଦ୍ଧା ଯକ୍ଷ୍ମା ମୂଳୋତ୍ପାଟନ ଲକ୍ଷ୍ୟ

ନୂଆଦିଲ୍ଲୀ,୧୦।୯: ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା (ଟିବି) ମୂଳୋତ୍ପାଟନ ଲାଗି ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଯକ୍ଷ୍ମା ନିରୋଧୀ ଅଭିଯାନର ଶୁଭାରମ୍ଭ କରିବା ସହ ଲକ୍ଷ୍ୟ ହାସଲ ଲାଗି ସମସ୍ତେ ଏକାଠି କାମ କରିବାକୁ ଆହ୍ବାନ ଦେଇଛନ୍ତି। ଜନସାଧାରଣଙ୍କ ସ୍ବାର୍ଥରେ କଲ୍ୟାଣକାରୀ ଯୋଜନା ଯେତେବେଳେ କାର୍ଯ୍ୟକାରୀ ହୁଏ, ଏହାର ସଫଳତା ବହୁଗୁଣିତ ହେବାର ସୁଯୋଗ ରହିଥାଏ ବୋଲି ‘ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ’ ଶୁଭାରମ୍ଭ କରିବା ଅବସରରେ ରାଷ୍ଟ୍ରପତି କହିଛନ୍ତି। ଏହା ବ୍ୟତୀତ ଟିବି ରୋଗୀଙ୍କ ଅତିରିକ୍ତ ନିଦାନ, ପୌଷ୍ଟିକତା ଏବଂ ଧନ୍ଦାମୂଳକ ସହାୟତା ପାଇଁ ରାଷ୍ଟ୍ରପତି ନିକ୍‌ଶୟ ମିତ୍ର ଇନିସିଏଟିଭ୍‌ର ଶୁଭାରମ୍ଭ କରିଛନ୍ତି। ସେମାନଙ୍କ ଆରୋଗ୍ୟରେ ସହାୟତାର ହାତ ବଢ଼ାଇବା ପାଇଁ ନିର୍ବାଚିତ ପ୍ରତିନିଧି, କର୍ପୋରେଟ, ଏନ୍‌ଜିଓ ଏବଂ ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହିତ କରାଯିବ। ଯକ୍ଷ୍ମା ରୋଗୀଙ୍କ ଚିକିତ୍ସାରେ ଉନ୍ନତି ପାଇଁ ନିକ୍‌ଶୟ ୨.୦ ପୋର୍ଟାଲ ଅତିରିକ୍ତ ସୁବିଧା ଯୋଗାଇବ। ଯକ୍ଷ୍ମାମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ ଅବସରରେ ଆୟୋଜିତ ଭର୍ଚୁଆଲ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାଓ୍ବାର, ଅନ୍ୟ କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ, ଉପରାଜ୍ୟପାଳ ଏବଂ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀମାନେ ଯୋଗଦେଇଥିଲେ।

Share