Categories: ଜାତୀୟ

ଚିଲକୁ ଉଦ୍ଧାର କରିବାକୁ ଯାଇ ଚାଲିଗଲା ୨ ଜୀବନ

ମୁମ୍ବାଇ,୧୦।୬: ମୁମ୍ବାଇର ବାନ୍ଦ୍ରା-ୱର୍ଲି ସାଗର ଲିଙ୍କ୍‌ରେ ଏକ ହୃଦୟବିଦାରକ ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ରାସ୍ତା ମଝିରେ ଆହତ ହୋଇ ଛଟପଟ ହେଉଥିବା ଏକ ଚିଲକୁ ଉଦ୍ଧାର କରିବାକୁ ଯାଇଥିବା ୨ ଜଣଙ୍କ ଉପରେ ଏକ କାର୍‌ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହାର ସମ୍ପୂର୍ଣ୍ଣ ଦୃଶ୍ୟ ଘଟଣାସ୍ଥଳରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଛି।
ପୋଲିସ ସୂଚନା ମୁତାବକ, ମେ ୩୦ ତାରିଖ ରାତିରେ ଅମର ମନୀଷ ଜରିୱାଲା କାରରେ ଡ୍ରାଇଭର ଶ୍ୟାମସୁନ୍ଦରଙ୍କ ସହ ବ୍ରାନ୍ଦ୍ରା-ୱର୍ଲି ସାଗର ଲିଙ୍କ୍‌ ଦେଇ ମାଲ୍‌ଦା ଯାଉଥିଲେ। ସେତିକିବେଳେ ରାସ୍ତା ଉପରେ ଆହତ ଅବସ୍ଥାରେ ଥିବା ଏକ ଚିଲ ତାଙ୍କ କାର୍‌ ତଳକୁ ଚାଲି ଆସିଥିଲା। ଏହା ଦେଖି ଅମର ଡ୍ରାଇଭର ଶ୍ୟାମସୁନ୍ଦରଙ୍କୁ ଗାଡ଼ି ଅଟକାଇବାକୁ କହିଥିଲେ। ପରେ ସେମାନେ ଗାଡ଼ିରୁ ଓହ୍ଲାଇ ଚିଲକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଦ୍ରୁତଗତିରେ ଯାଉଥିବା ଏକ ଟ୍ୟାକ୍ସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେମାନେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ଅମରଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶ୍ୟାମସୁନ୍ଦରଙ୍କ ମୃତ୍ୟୁ ଘଟିଥିଲା। ୱର୍ଲି ପୋଲିସ ଘଟଣାର ତଦନ୍ତ ପରେ ଦୁର୍ଘଟଣା ଘଟାଇଥିବା ଟ୍ୟାକ୍ସି ଚାଳକଙ୍କ ନାମରେ ଏକ ମାମଲା ରୁଜୁ କରିଛି।

Share