Categories: ବାଣିଜ୍ୟ

ଟିକସ ସଂଗ୍ରହ ୨୨.୫% କମିଲା

ନୂଆଦିଲ୍ଲୀ,୧୭।୯: ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ମୋଟ ଟିକସ ସଂଗ୍ରହ ୨୨.୫% ହ୍ରାସ ଘଟିଛି। ସେପ୍ଟେମ୍ବର ୧୫ ସୁଦ୍ଧା ସରକାର ୨.୫୩ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ସକ୍ଷମ ହୋଇଛନ୍ତି। ଏହା ମଧ୍ୟରେ ଅଗ୍ରିମ ଟିକସ ମଧ୍ୟ ସାମିଲ ରହିଥିବା ଆୟକର ବିଭାଗ ମୁମ୍ବାଇ ଜୋନର ଜଣେ ଅଧିକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ଗତ ବର୍ଷ ଏହି ସମୟ ଅବଧିରେ ୩.୨୭ ଲକ୍ଷ କୋଟି ଟଙ୍କାର ଟିକସ ସଂଗ୍ରହ ହୋଇଥିଲା। ଅପରପକ୍ଷରେ ଚଳିତ ତ୍ରୈମାସରେ କେତେ ପରିମାଣରେ ଅଗ୍ରିମ ଟିକସ ସଂଗ୍ରହ ହୋଇଛି ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ମିଳିଥିବା ତଥ୍ୟ ପ୍ରୋଭିଜନାଲ ହୋଇଥିବା ବେଳେ ବ୍ୟାଙ୍କଗୁଡିକ ଚୂଡାନ୍ତ ଡାଟାକୁ ଶୀଘ୍ର ଅପ୍‌ଡେଟ କରିବେ ବୋଲି ଜଣାପଡିଛି।
ସୂଚନା ମୁତାବକ, ଜୁନ ସୁଦ୍ଧା ମୋଟ ଟିକସ ସଂଗ୍ରହ ୩୧% କମିଛି। ସେହିଭଳି ଲକ୍‌ଡାଉନ ଯୋଗୁ ୭୬% ଅଗ୍ରିମ ଟିକସ ସଂଗ୍ରହ ହ୍ରାସ ହୋଇଥିବା ଆକଳନ କରାଯାଇଛି। ଜାତୀୟ ସ୍ତରରେ ବ୍ୟକ୍ତିଗତ ଆୟକର ସଂଗ୍ରହ ୧.୪୭ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ କର୍ପୋରେଶନ ଟିକସ ୯୯,୧୨୬ କୋଟି ଟଙ୍କା ରହିଛି। ଏହି ୨ ପ୍ରମୁଖ ସୂତ୍ରରୁ ମୋଟ ୨.୪୬ ଲକ୍ଷ କୋଟି ସଂଗ୍ରହ ହେବା ନେଇ ଆକଳନ କରାଯାଇଛି। ସାରା ଦେଶର ସଂଗ୍ରହ ହେଉଥିବା ଆୟକର ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଅଂଶ ମୁମ୍ବାଇ ଜୋନରୁ ହୋଇଥାଏ। ସାରା ଦେଶରେ ସଂଗ୍ରହ ୨୨.୫% କମିଥିବା ବେଳେ ଏହା ମୁମ୍ବାଇ ଅଞ୍ଚଳରେ ୧୩.୯% ଖସିବା ନେଇ ଆକଳନ କରାଯାଇଛି। ଏହି ଅଞ୍ଚଳରେ ଟିକସ ସଂଗ୍ରହ ସବୁଠାରୁ ପ୍ରଭାବିତ ସ୍ଥିତିରେ ରହିବା ଫଳରେ ୭୪,୭୮୯ କୋଟି ଟଙ୍କା ରହିଛି। ଏହା ମଧ୍ୟରେ ବ୍ୟକ୍ତିଗତ ଆୟକର ବାବଦ ୩୪,୮୦୮ କୋଟି ଏବଂ କର୍ପୋରେଟ ଟିକସ ବାବଦରେ ୩୨,୯୨୧ କୋଟି ଟଙ୍କା ସଂଗ୍ରହ କରାଯାଇଛି।
ସେହିଭଳି ପ୍ରମୁଖ ଟିକସ ସଂଗ୍ରହ ଜୋନ ମଧ୍ୟରୁ ବାଙ୍ଗାଲୋରରେ ୯.୯% ଟିକସ ସଂଗ୍ରହ ଅଭିବୃଦ୍ଧି ହୋଇଛି। ଗତ ବର୍ଷ ଏହି ଅବଧିରେ ବାଙ୍ଗାଲୋର ଜୋନରେ ୩୬,୯୮୬ କୋଟି ଟିକସ ସଂଗ୍ରହ ହୋଇଥିବା ବେଳେ ବର୍ତ୍ତମାନ ଏହା ୪୦,୬୬୫ କୋଟି ଟଙ୍କା ରହିଛି। କୋଚିରେ ଟିକସ ସଂଗ୍ରହ ସବୁଠାରୁ ନିମ୍ନରେ ରହିଛି। ଏଠାରେ ସଂଗ୍ରହ ୪୯% ହ୍ରାସ ପାଇ ୩,୨୧୪ କୋଟି ଟଙ୍କା ରହିଥିବା ସୂତ୍ରରୁ ଜଣାପଡିଛି।

Share