ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ପଶ୍ଚିମ କେନ୍ଦ୍ରୀୟ ରେଳବାଇର କୋଟା ମଣ୍ଡଳ (Kota Division) ଅଧୀନରେ ଥିବା ସମସ୍ତ ରେଳ ଷ୍ଟେସନରେ ତତ୍କାଳ ଟିକେଟ୍ ବୁକିଂ ପାଇଁ ଏକ ନୂଆ ଟୋକନ ସିଷ୍ଟମ (Token System) ଲାଗୁ କରାଯାଇଛି।

ଏହି ନୂତନ ନିୟମ ଅନୁଯାୟୀ, ଯାତ୍ରୀମାନଙ୍କୁ କାଉଣ୍ଟର ଖୋଲିବା ପୂର୍ବରୁ ଧାର୍ଯ୍ୟ ସମୟରେ ପହଞ୍ଚି ପ୍ରଥମେ ଟୋକନ ନେବାକୁ ପଡ଼ିବ। ଟୋକନର କ୍ରମ ଅନୁସାରେ ହିଁ ଯାତ୍ରୀମାନେ ଟିକେଟ୍ ବୁକିଂ କରିପାରିବେ।

  • ଏସି ଶ୍ରେଣୀର ତତ୍କାଳ ଟିକେଟ୍ ପାଇଁ ସକାଳ ୯:୦୦ ରୁ ୯:୨୫ ମଧ୍ୟରେ ଟୋକନ ବଣ୍ଟନ କରାଯିବ।

  • ସ୍ଲିପର ଶ୍ରେଣୀର ତତ୍କାଳ ଟିକେଟ୍ ପାଇଁ ସକାଳ ୯:୩୦ ରୁ ୯:୫୫ ମଧ୍ୟରେ ଟୋକନ ଦିଆଯିବ।

ରେଳବାଇ ସ୍ପଷ୍ଟ କରିଛି ଯେ ତତ୍କାଳ ଟିକେଟ୍ ବୁକିଂର ମୂଳ ସମୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଯାତ୍ରା ତାରିଖର ଏକ ଦିନ ପୂର୍ବରୁ ଏସି କ୍ଲାସ୍ ପାଇଁ ସକାଳ ୧୦:୦୦ ଟାରେ ଏବଂ ନନ୍-ଏସି କ୍ଲାସ୍ ପାଇଁ ସକାଳ ୧୧:୦୦ ଟାରେ ହିଁ ୱିଣ୍ଡୋ ଖୋଲିବ। କେବଳ ଲାଇନ୍‌ରେ ଶୃଙ୍ଖଳା ରକ୍ଷା ପାଇଁ ଏହା ପୂର୍ବରୁ ଟୋକନ ବଣ୍ଟାଯିବ।

  • ଯେଉଁ ଯାତ୍ରୀମାନେ IRCTC ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ଜରିଆରେ ଅନଲାଇନ୍ ତତ୍କାଳ ଟିକେଟ୍ ବୁକିଂ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଆଧାର ଅଥେଣ୍ଟିକେସନ୍ (Aadhaar Authentication) ବାଧ୍ୟତାମୂଳକ ରହିବ। ଏହାଦ୍ୱାରା ନକଲି ଆଇଡି ବ୍ୟବହାର କରୁଥିବା ଦଲାଲମାନଙ୍କୁ ରୋକାଯାଇପାରିବ।

Share