Categories: ବାଣିଜ୍ୟ

ଏୟାର ଇଣ୍ଡିଆ ଲାଗି ଟାଟା ଆଗ୍ରହୀ

ନୂଆଦିଲ୍ଲୀ,୧୬ା୯: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ଘରୋଇକରଣ ଲାଗି କେନ୍ଦ୍ର ସରକାର ପ୍ରକ୍ରିୟା ତ୍ୱରାନ୍ବିତ କରିଛନ୍ତି। ଏହି କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର ଲାଗି ସରକାର ବିଡିଂ ପ୍ରକ୍ରିୟା ଜାରି କରିଛନ୍ତି। ଫାଇନାନ୍ସିଆଲ ବିଡିଂ ଲାଗି ବୁଧବାର ଶେଷ ଦିନ ଥିବା ବେଳେ ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ ଟାଟା ବିଡିଂ ଦାଖଲ କରିଥିବା ଜଣାପଡିଛି। ଏ ନେଇ ଟାଟା ସନ୍ସର ମୁଖପାତ୍ର ସ୍ପଷ୍ଟ କରିଛନ୍ତି। ଏହି ବିମାନ କମ୍ପାନୀକୁ ଅଧିଗ୍ରହଣ କରିବା ଲାଗି ଟାଟା ଆଗ୍ରହୀ ରହିଥିବା ଏଥିରୁ ଜଣାପଡିଛି। ଟାଟା ପାଖକୁ ଏୟାର ଇଣ୍ଡିଆ ଫେରିବ ବୋଲି ଚର୍ଚ୍ଚା ଜୋର ଧରିଥିଲା। ତେବେ କମ୍ପାନୀ ବର୍ତ୍ତମାନ ଫାଇନାନ୍ସିଆଲ ବିଡ୍‌ ଦାଖଲ କରିଥିବାରୁ ଏ ନେଇ ଆଶା ଉଜ୍ଜ୍ୱଳ ହୋଇଥିବା ଜଣାପଡିଛି।
ସ୍ପାଇସ ଜେଟର ଅଜୟ ସିଂ ମଧ୍ୟ ଏୟାର ଇଣ୍ଡିଆ ଲାଗି ଆଗ୍ରହ ଦେଖାଇଥିବା ଜଣାପଡିଛି। ବିଡିଂର ବିଭିନ୍ନ ପ୍ରକ୍ରିୟାକୁ ବିଚାର କରିବା ପରେ ଟ୍ରାଞ୍ଜାକସନ ଆଡଭାଇଜର କ୍ୟାବିନେଟକୁ ଚୂଡାନ୍ତ ନାମ ପ୍ରଦାନ କରିବେ। ଯଦି ସବୁ କିଛି ଟାଟା ସପକ୍ଷରେ ଯାଏ ତେବେ ୬୭ ବର୍ଷ ପରେ ଟାଟା ପାଖକୁ ଏୟାର ଇଣ୍ଡିଆ ଫେରିବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୯୩୨ରେ ଟାଟା ଏୟାର ଲାଇନ୍ସ ନାମରେ ବର୍ତ୍ତମାନର ଏୟାର ଇଣ୍ଡିଆକୁ ସ୍ଥାପନ କରିଥିଲେ। ୧୯୫୩ରେ ଭାରତ ସରକାର ଏହି ବିମାନ କମ୍ପାନୀକୁ ଜାତୀୟକରଣ କରିଥିଲେ।
ସିଙ୍ଗାପୁର ଏୟାର ଲାଇନ୍ସ ସହ ମିଳିତ ହୋଇ ଟାଟା ଭିସ୍ତାରା ନାମରେ ବିମାନ ସେବା ଯୋଗାଉଛି। ଟ୍ରାଞ୍ଜାକଶନ ଆଡଭାଇଜର ଏୟାର ଇଣ୍ଡିଆ ଘରୋଇକରଣ ଲାଗି ଫାଇନାନ୍ସିଆଲ ବିଡ୍‌ ଗ୍ରହଣ କରିଛନ୍ତି। ବର୍ତ୍ତମାନ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି ବୋଲି ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ (ଦୀପମ) ସଚିବ ତୁହୀନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି।

Share