ଟାର୍ଗେଟରେ ମଦ ଦୋକାନ

ଭୁବନ, ୨୮।୫(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ରାଜପଥରେ ଲୁଟେରା ଗ୍ୟାଙ୍ଗ୍‌ ସକ୍ରିୟ ହୋଇଉଠିଥିବାବେଳେ ବାଇକ୍‌ ଆରୋହୀ ଛିନ୍‌ତାଇ ଗୋଷ୍ଠୀ ସହରବାସୀଙ୍କ ନିଦ ହଜାଇଛନ୍ତି। ପୂର୍ବରୁ ଛୋଟବଡ଼ ଆପରାଧିକ କାର୍ଯ୍ୟ ଘଟାଉଥିବା ଦୁର୍ବୃତ୍ତମାନେ ଏବେ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନ ଉପରେ ପକାଇଛନ୍ତି ନଜର। ଗତ ଗୁରୁବାର ବିଳମ୍ବିତ ରାତିରେ ୨ନଂ. ଓ୍ବାର୍ଡ ଅନ୍ତର୍ଗତ ବେଠିଆପାଳରେ ଥିବା ଠିପିବନ୍ଦ ବିଦେଶୀ ମଦ ଦୋକାନରେ କଳାକନା ବୁଲାଇଛନ୍ତି ଅସାମାଜିକ ଗୋଷ୍ଠୀ। ଗ୍ୟାସ୍‌ କଟର ସହାୟତାରେ ଦୋକାନ ଶଟର କାଟି ସେମାନେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମଦ ନେଇଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ମ୍ୟାନେଜର କ୍ଷେତ୍ରମୋହନ ପାତ୍ର ଥାନାରେ ଏତଲା ଦେଇଛନ୍ତି। ପୋଲିସ ନଂ. ୨୧୪/୨୨ରେ ଏକ ମାମଲା ରୁଜୁ କରିଛି। ସ୍ଥାନୀୟ ପୋଲିସ ଢେଙ୍କାନାଳ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଛି।
ଉକ୍ତ ଠିପିବନ୍ଦ ମଦ ଦୋକାନରୁ ଲୁଟ୍‌ପାଟ୍‌ ପ୍ରଥମ ଘଟଣା ନୁହେଁ। ଏଥିପୂର୍ବରୁ ଉକ୍ତ ଦୋକାନରୁ ୨ ଥର ଅନୁରୂପ ଚୋରି ହୋଇଛି। ତେବେ ଗୁରୁବାର ରାତିରେ ଅଭିଯୁକ୍ତମାନେ ସବୁ ସୀମା ଟପିଯାଇଛନ୍ତି। ଦୋକାନରେ ଉନ୍ନତମାନର କବାଟ, ଶଟର ଥିବାବେଳେ ଏହାକୁ ଗ୍ୟାସ୍‌ କଟରରେ କଟାଯାଇଛି। ଧରାପଡ଼ିବା ଆଶଙ୍କାରେ ଅଭିଯୁକ୍ତମାନେ ସିସିଟିଭି ଏବଂ ହାର୍ଡଡିସ୍କ ଭାଙ୍ଗିଦେଇଛନ୍ତି। ଏହି ଘଟଣାରେ ପେସାଦାର ଅପରାଧୀଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି। କେବଳ ଏତିକି ନୁହେଁ, ମଦ ଦୋକାନରେ ଥିବା ଅନ୍ୟ ଏକ ପାନ ଦୋକାନରୁ ମଧ୍ୟ ଦୁର୍ବୃତ୍ତମାନେ ଲୁଟ୍‌ପାଟ୍‌ କରିଛନ୍ତି।
ଏ ନେଇ ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର କୁହନ୍ତି, ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଘଟଣାସ୍ଥଳରେ ତଦନ୍ତ କରାଯାଇଛି। ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ତନାଘନା ଚାଲିଛି।