ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ: ମହାକାଳୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ

ପୁରୁଷୋତ୍ତମପୁର, ୩୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣିଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି। ସୋମବାର ରାତ୍ର ସାଢ଼େ ୨ଟାରୁ ମନ୍ଦିର ଦ୍ୱାର ଫିଟାଯାଇ ପରମ୍ପରା ଅନୁସାରେ ଅବକାଶ ନୀତି, ମାଜଣା, ଅଭିଶେକ, ସୃଙ୍ଗାର ଆଦି ପୂଜାର୍ଚ୍ଚନା କରାଯାଇଥିଲା। ପରେ ମା’ ତାରାତାରିଣୀ ଦୁଇ ଭଉଣୀଙ୍କୁ ମହାକାଳୀ ବେଶରେ ସଜ୍ଜିତ କରାଯାଇ ସକଳ ୬ ଟାରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ପରେ ସକାଳ ୪ଟାରୁ ମୁଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଭକ୍ତମାନେ ନିଜ ନିଜର ଶିଶୁଙ୍କୁ ପ୍ରଚଣ୍ଡ ଖରାରେ ଘଣ୍ଟା ଘଣ୍ଟା ଧରି ଧାଡିବାନ୍ଧି ଛିଡ଼ାହୋଇ ରହିଥିବାର ଦେଖିବାକୁ ମିଳିଛି। ଏଥିସହ ପାହାଡ଼ ଉପରକୁ ଥିବା ରାସ୍ତାକୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । କେବଳ ସ୍ବତନ୍ତ୍ର ବସ୍‌ ମାଧ୍ୟମରେ ପାହାଡ ତଳୁ ଉପରକୁ ଯିବାର ବ୍ୟବସ୍ଥା କରାଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଏସ୍‌ପି ବ୍ରିଜେସ କୁମାର ରାୟ ତଦାରଖ କରିଥିବା ବେଳେ ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡିଙ୍କ ତତ୍ତ୍ୱାବଧାନରେ ସେବାୟତ ବାପୁଜୀ ରଣା, ତପନ ରଣାଙ୍କ ସମେତ ସମସ୍ତ ସେବାୟତ ପୂଜାର୍ଚ୍ଚନା କରିବାରେ ଲାଗିଛନ୍ତି। ପୁରୁଷୋତ୍ତମପୁର ଏସ୍‌ଡିପିଓ ସୀମା ସ୍ବାଇଁଙ୍କ ନେତୃତ୍ୱରେ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲୀକଙ୍କ ସମେତ ପୋଲିସ ଫୋର୍ସ ମୁତୟନରହି ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ଲାଗିଛନ୍ତି।