ଓଟିଟିରେ ତାରାଙ୍କ ଏଣ୍ଟ୍ରି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାରା ସୁତାରିଆଙ୍କ ଆଗାମୀ ସର୍ଭାଇଭାଲ ଥ୍ରିଲର ଫିଲ୍ମ ‘ଅପୂର୍ବା’ର ଟେଲର ଗୁରୁବାର ରିଲିଜ୍‌ ହୋଇଯାଇଛି। ଏହି ଫିଲ୍ମ ଜରିଆରେ ତାରା ଓଟିଟିରେ ଏଣ୍ଟ୍ରି କରିବେ। ନିଖିଲ ନାଗେଶ ପଟ୍ଟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ତାରା ବଞ୍ଚିବା ପାଇଁ ଅନେକ ପରିସ୍ଥିତିକୁ ସମ୍ମୁଖୀନ କରୁଥିବା ଜଣେ ସାଧାରଣ ଝିଅ ଚରିତ୍ରରେ ନଜର ଆସିବେ। ତାଙ୍କ ସହ ରାଜପାଲ ଯାଦବ, ଅଭିଷେକ ବାନାର୍ଜୀ, ଧୈଯ୍ୟ କାର୍ୱା ପ୍ରମୁଖଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ। ତାରା ନିଜ ଇନ୍‌ଷ୍ଟାଗ୍ରାମରେ ସିନେମାର ଟ୍ରେଲର ପୋଷ୍ଟ କରିଛନ୍ତି। ସେ ପ୍ରଥମ ଥର ପାଇଁ ଏହି ଫିଲ୍ମ ଜରିଆରେ ଏକ ଭିନ୍ନ ଚରିତ୍ରରେ ଅଭିନୟର ଅନୁଭବକୁ ଶେୟାର କରିଛନ୍ତି। ଟ୍ରେଲରରେ ତାରାଙ୍କୁ ପାଗଳ ପରି ନିଜ ଭାବି ସ୍ବାମୀ ଧୈଯ୍ୟ କାର୍ୱାଙ୍କୁ ଭଲପାଉଥିବା ଦେଖିବାକୁ ମିଳିଛି। କିନ୍ତୁ ତାରାଙ୍କ ଅପହରଣ ପରେ ଉଭୟଙ୍କ ରୋମାଣ୍ଟିକ୍‌ ଜୀବନ ବଦଳି ଯାଇଛି। ତେବେ ତାରା ୨୦୧୯ରେ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇଅର ୨’ ଜରିଆରେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଆଉ ୪ଟି ସିନେମା କରିଛନ୍ତି। ଏଥିସହ ସେ ଅନେକ ମ୍ୟୁଜିକ୍‌ ଭିଡିଓରେ ମଧ୍ୟ ନଜରକୁ ଆସିଛନ୍ତି।

Share