ବବିଙ୍କ ସପକ୍ଷରେ ବାହିନୀପତି

ଭୁବନେଶ୍ବର, ୧୦ା୧୧(ବ୍ୟୁରୋ):ଧାମନଗର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖି ଦଳର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି। ଧାମନଗରରେ ବିଜେଡି-ବିଜେଡି ଲଢ଼େଇରେ କଂଗ୍ରେସ ବଳି ପଡ଼ିଗଲା ବୋଲି ତାରା କହିବା ସହିତ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସପକ୍ଷରେ ବାହାରିଛନ୍ତି। ବିଜୁ ଜନତା ଦଳର କେତେଜଣ ନେତା ବିଧାୟକ ବବିଙ୍କୁ ବିରୋଧକରି ଓ ତାଙ୍କ ଆଧିପତ୍ୟ କମାଇବା ପାଇଁ ଧାମନଗରରେ କେତେଜଣ କଂଗ୍ରେସ ଲୋକଙ୍କୁ କିଣିନେଲେ। ଏଇଟା ସତ୍ୟ। ଆମ ଭୋଟ ସେଇଆଡ଼େ ପଳାଇଲା। କିଏ ଭାଜପାକୁ ତ କିଏ ସ୍ବାଧୀନ ପ୍ରାର୍ଥୀଙ୍କୁ ଭୋଟ ଦେଲା। ଆମ ପ୍ରତି ଯେଉଁମାନଙ୍କ ସ୍ନେହ,ଶ୍ରଦ୍ଧା ଥିଲା ଓ ଯେଉଁମାନେ ଆମକୁ ଭୋଟ ଦେଇଥାଆନ୍ତେ ତାକୁ ରୋକିଦେଲେ। ଅର୍ଥାତ୍‌ ବିଜେଡି-ବିଜେଡି କଳିରେ କଂଗ୍ରେସ ଡୁବିଗଲା। ହେଲେ ବିଜେଡିର କେଉଁ ନେତାମାନେ ବବିଙ୍କ ବିରୋଧରେ ଯାଇ ଏମିତି କାମ କରିଥିଲେ ସେମାନଙ୍କ ନାଁ ତାରା କହିନାହାନ୍ତି। ସେମାନଙ୍କ ମଧ୍ୟରେ ଉଭୟ ବରିଷ୍ଠ ଓ କନିଷ୍ଠ ନେତା ଅଛନ୍ତି। ଅନ୍ୟପକ୍ଷରେ ପଦ୍ମପୁର ଉପନିର୍ବାଚନରେ କଂଗ୍ରେସର ସ୍ଥିତି ଭିନ୍ନ ରହିବ। ସେଠାରେ ଦଳ ୧ ନମ୍ବରରେ ରହିବ ବୋଲି କହିଛନ୍ତି। ପଦ୍ମପୁରରେ ଆମ ନେତା ସତ୍ୟଭୂଷଣ ସାହୁ ଗତ ନିର୍ବାଚନରେ ୩୨ ହଜାର ଭୋଟ ପାଇଥିଲେ। ତାଙ୍କର ସେଠାରେ ଦବଦବା ରହିଛି। ନିଶ୍ଚିତ ଭାବେ କଂଗ୍ରେସ ସେଠାରେ ୧ ନମ୍ବରରେ ରହିବ। ସେଠାରେ କେହି କଂଗ୍ରେସ ଭୋଟ ନେଇପାରିବେନାହିଁ ବୋଲି ତାରା କହିଛନ୍ତି।