ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଗସ୍ତ କରି ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ତପ୍ତପାଣିର ପ୍ରକୃତିଦତ୍ତ ଉଷ୍ମ ପ୍ରସବଣ ଏବଂ ଆଦିବାସୀଙ୍କ ଆସ୍ଥାର ପ୍ରତୀକ ମା’ କନ୍ଧୁଣୀ ଦେବୀଙ୍କ ପୀଠ ପରିଦର୍ଶନ କରିବାରେ ସେ ହେଉଛନ୍ତି ଦେଶର ପ୍ରଥମ କାର୍ଯ୍ୟରତ ରାଷ୍ଟ୍ରପତି।
ମଙ୍ଗଳବାର ଅପରାହ୍ନ ପ୍ରାୟ ୧ ଟା ସମୟରେ ଝିପିଝିପି ବର୍ଷା ଓ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଷ୍ଟ୍ରପତି ପାନ୍ଥନିବାସରେ ପହଞ୍ଚିଥିଲେ। ସେଠାରୁ କିଛି ସମୟ ବିଶ୍ରାମ ପରେ ସେ ସ୍ୱତନ୍ତ୍ର ସୁଟ୍ ପିନ୍ଧି ଉଷ୍ମ ପ୍ରସବଣର ପାଇପ୍ ଯୋଗେ ଆସୁଥିବା ଗନ୍ଧକଯୁକ୍ତ ଗରମ ପାଣିରେ ସ୍ନାନ କରିଥିଲେ। ପରେ ଜନଜାତି ସମ୍ପ୍ରଦାୟର କଳାକାରମାନେ ପାରମ୍ପରିକ ବାଦ୍ୟ ବାଜଣାର ତାଳେ ତାଳେ ନୃତ୍ୟ ପରିବେଷଣ କରି ରାଷ୍ଟ୍ରପତିଙ୍କୁ ଉଷ୍ମ ପ୍ରସବଣ କୁଣ୍ଡରେ ବିରାଜିତ ମା’ କନ୍ଧୁଣୀ ଦେବୀଙ୍କ ମନ୍ଦିର ଯାଏ ଆଦରରେ ପାଛୋଟି ନେଇଥିଲେ।
ଏହି ଗସ୍ତ ସମୟରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଙ୍ଗରେ ଥିଲେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସ୍ଥାନୀୟ ଜନଜାତି ସମ୍ପ୍ରଦାୟ ମଧ୍ୟରେ ଉତ୍ସବର ପରିବେଷ ସୃଷ୍ଟି ହୋଇଥିଲା। ମନ୍ଦିର ପରିସର ଶୁଭ ଶଙ୍ଖଧ୍ୱନି, ଘଣ୍ଟନାଦ, ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ଭକ୍ତିମୟ ପରିବେଶରେ ପ୍ରକମ୍ପିତ ହୋଇଉଠିଥିଲା। ପାରମ୍ପରିକ ଆଦିବାସୀ ରୀତିନୀତି ଅନୁଯାୟୀ ମନ୍ଦିରର ପୂଜକମାନେ ଏବଂ ସ୍ଥାନୀୟ ଜନଜାତି ସମ୍ପ୍ରଦାୟର ଲୋକେ ଅତ୍ୟନ୍ତ ଶ୍ରଦ୍ଧା, ଭକ୍ତି ଓ ଆନ୍ତରିକତାର ସହ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ।
ପବିତ୍ର ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ରାଷ୍ଟ୍ରପତି ମା’ କନ୍ଧୁଣି ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଦେଶର ଶାନ୍ତି, ସମୃଦ୍ଧି, ଏକତା ଏବଂ ସର୍ବସାଧାରଣଙ୍କ ମଙ୍ଗଳ କାମନା କରିଥିଲେ। ପରେ ସେ ନିକଟସ୍ଥ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିର ଦର୍ଶନ କରିବା ସହ ଦିବ୍ୟ ଆରତିରେ ଅଂଶଗ୍ରହଣ କରିଥିଲେ। ପରେ ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ମଞ୍ଚରେ ଅନୁଷ୍ଠିତ ବିଭିନ୍ନ ସାଂସ୍କୃତିକ ଦଳର ନୃତ୍ୟ ଗୀତ ଉପଭୋଗ କରିଥିଲେ। ସେଠାରେ ଉପସ୍ଥିତ କୁନି କୁନି ପିଲା ଓ ଛାତ୍ରୀମାନଙ୍କୁ ରାଷ୍ଟ୍ରପତି ଚୋକଲେଟ୍ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ୍, ବ୍ରହ୍ମପୁର ଏସ.ପି. ଡା. ଶ୍ରବଣା ବିବେକ ଏମ., ଗଞ୍ଜାମ ଏସ.ପି. ହରିଶ୍ ବି. ସି., ଆସିକା ଏମ.ପି. ଅନିତା ଶୁଭଦର୍ଶନୀ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ସାନଖେମୁଣ୍ଡି ବ୍ଲକ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଏବଂ ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକଙ୍କ ସମେତ ଗଞ୍ଜାମ ଓ ଗଜପତି ଜିଲାର ବହୁ ସଂଖ୍ୟକ ପଦସ୍ଥ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।
ରାଷ୍ଟ୍ରପତି ପାନ୍ଥ ନିବାସରେ ମଧ୍ୟାହ୍ନ ଭୋଜନ କରି କିଛି ସମୟ ବିଶ୍ରାମ ପରେ ଅପରାହ୍ନ ପ୍ରାୟ ୪ ଟାରେ ତପ୍ତପାଣିରୁ ବାହାରି ଠିକ୍ ସାଢେ ୪ ଟାରେ ଦିଗପହଣ୍ଡି ଅତିକ୍ରମ କରି ଭାୟା ବ୍ରହ୍ମପୁର ଦେଇ ଗୋପାଳପୁର ଅଭିମୁଖେ ଯାଇଥିଲେ। ଏହି ଅବିସ୍ମରଣୀୟ ଦିବସ ଅବସରରେ ମା’ କନ୍ଧୁଣି ଦେବୀଙ୍କ ମୁଖ୍ୟ ପୂଜକ ପ୍ରଶାନ୍ତ କୁମାର ଜାନୀ ଅତ୍ୟନ୍ତ ଆନନ୍ଦିତ ହୋଇ କହିଥିଲେ ଯେ ରାଷ୍ଟ୍ରପତିଙ୍କୁ ଆମ ପ୍ରାଚୀନ ପରମ୍ପରା ଅନୁଯାୟୀ ଶଙ୍ଖଧ୍ୱନି, ଘଣ୍ଟନାଦ ଓ ବୈଦିକ ରୀତିନୀତିରେ ସ୍ୱାଗତ କରିବା ଆମ ପାଇଁ ପରମ ସୌଭାଗ୍ୟର ବିଷୟ ଏବଂ ମା’ କନ୍ଧୁଣି ଦେବୀଙ୍କ ପବିତ୍ର ପୀଠର ଇତିହାସରେ ଏହା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ବୋଲି ସେ ଅଭିହିତ କରିଛନ୍ତି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମଗ୍ର ଅଞ୍ଚଳରେ ଉତ୍ସବର ମାହୋଲ ସୃଷ୍ଟି କରିବା ସହ ଜନଜାତି ସଂସ୍କୃତି, ପରମ୍ପରା ଏବଂ ଧାର୍ମିକ ପର୍ଯ୍ୟଟନକୁ ଜାତୀୟ ସ୍ତରରେ ଏକ ନୂତନ ପରିଚୟ ପ୍ରଦାନ କରିଛି।