ଭଡ଼ା ଘରେ ୭ ଦିନ ଏକାଠି ରହିବେ ତପସ୍ବିନୀ- ସୁମିତ

ବ୍ରହ୍ମପୁର ଅଫିସ ,୨ା୧୨: ନ୍ୟାୟ ପାଇଁ ବଧୂ ତପସ୍ବିନୀ ଦାଶ ଗଞ୍ଜାମ ଜିଲା ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶ୍ବଶୁର ଘର ଆଗରେ ୧୦ ଦିନ ଧରି ଧାରଣା ଦେଇଥିଲେ। କୋର୍ଟରେ ରୁଜୁ ହୋଇଥିବା ପିଟିଶନ(ଏମ୍‌ସି ନଂ. ୩୪୪/୨୧)ର ଗୁରୁବାର ଶୁଣାଣି କରି ଏସ୍‌ଡିଜେଏମ୍‌ ସ୍ବାମୀ, ସ୍ତ୍ରୀଙ୍କୁ ୭ ଦିନ ପର୍ଯ୍ୟନ୍ତ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାମୀ ସୁମିତ ସାହୁ ଆସିକା ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଛନ୍ତି। ଏଣୁ ଆସିକାରେ ଉଭୟ ରହିବା ଲାଗି ଏସ୍‌ଡିଜେଏମ୍‌ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିପାଇଁ ଆସିକା ଥାନା ଅଧିକାରୀ ଏକ ଭଡାଘର ଯୋଗାଡ଼ କରି ସେଠାରେ ସେମାନଙ୍କୁ ରହିବାକୁ ଦେବେ। ସେଠାକୁ ପୁଅ ସୁମିତ କିମ୍ବା ଝିଅ ତାପସ୍ବନୀଙ୍କ ପରିବାର ଦେଖା କିମ୍ବା ଯୋଗାଯୋଗ କରିବେ ନାହିଁ ବୋଲି ନିର୍ଦ୍ଦେଶ ଥିବା ତପସ୍ବିନୀଙ୍କ ଆଇନଜୀବୀ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି।

ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ ହେବା ପରେ ପୋଲିସ ଉଭୟଙ୍କୁ ପୁଣିଥରେ କୋର୍ଟରେ ହାଜର କରିବ। ଏଥିପାଇଁ ଜଣେ ପ୍ରୋଟେକ୍ସନ ଅଫିସରଙ୍କୁ ନିଯୁକ୍ତି କରାଯିବ। ସମ୍ପୃକ୍ତ ଅଧିକାରୀଙ୍କ ତଦାରଖରେ ଉଭୟେ ରହିବେ ବୋଲି ନିର୍ଦ୍ଦେଶ ରହିଛି।

ପ୍ରକାଶ ଯେ, ଛତ୍ରପୁରର ତପସ୍ବିନୀ ଓ ବ୍ରହ୍ମପୁରର ଜଣେ ଡା. ସୁମିତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟେ ଗତ ବର୍ଷ କୋର୍ଟରେ ବିବାହ କରିବା ସହ ଏକାଠି ରହିଥିଲେ। କିଛି ମାସ ହେବ ସ୍ବାମୀ, ଶାଶୁ ଓ ଶ୍ବଶୁର ମିଶି ତାଙ୍କୁ ନିର୍ଯାତନା ଦେଇଥିବା ନେଇ ତପସ୍ବିନୀ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ସୁମିତଙ୍କ ପରିବାର ଲୋକେ ମାମଲା ଉଠାଇବା ପାଇଁ ତପସ୍ବିନୀଙ୍କୁ ମନାଇବା ସହ ବାହଘର କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ନଭେମ୍ବର ୨୨ରେ ଲଗ୍ନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶ୍ବଶୁର ଘର ଲୋକ କୌଣସି ଆୟୋଜନ କରି ନ ଥିବାରୁ ତପସ୍ବିନୀ ବଧୂ ବେଶରେ ସାମାଜିକ କର୍ମୀ ପ୍ରମିଳା ତ୍ରିପାଠୀଙ୍କ ସହାୟତାରେ ଶ୍ବଶୁର ଘର ଆଗରେ ଧାରଣା ଜାରି ରଖିଥିଲେ।