ଚିନିଶିଳ୍ପ ଅତିଥି ଭବନରେ ତପସ୍ବିନୀ, ସୁମିତ

ଆସିକା,୪।୧୨(ଡି.ଏନ୍‌.ଏ.): ବ୍ରହ୍ମପୁର ବ୍ରହ୍ମାନଗରଠାରେ ଶାଶୁଘରେ ରହିବା ଲାଗି ଧାରଣା ଦେଇଥିବା ତପସ୍ବିନୀ ଦାସ ଗୁରୁବାର ରାତିରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସ୍ବାମୀ ସୁମିତ ସାହୁଙ୍କ ସହ ଆସିକା ଯାଇଥିଲେ। ସେମାନେ ଆସିକାରେ ୭ ଦିନ ଏକାଠି ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସିକା ଥାନାରେ ପହଞ୍ଚିବା ପରେ ପୋଲିସ ସେମାନଙ୍କୁ ଚିନିଶିଳ୍ପସ୍ଥିତ ଅତିଥି ଭବନରେ ରଖିଛି। ସେଠାରେ ୭ଦିନ ରହିବା ସମୟ ମଧ୍ୟରେ ତପସ୍ବିନୀ କିମ୍ବା ସୁମିତଙ୍କ ପରିବାର କିମ୍ବା ଅନ୍ୟ କେହି ସାମାଜିକ କର୍ମୀ ସେମାନଙ୍କୁ ଭେଟିବାକୁ ବାରଣ କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା ଲାଗି ପଦକ୍ଷେପ ନିଆଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି। ଶୁକ୍ରବାର ଜିଲା ମହିଳା ସୁରକ୍ଷା ଅଧିକାରୀ ଚିନିଶିଳ୍ପ ଅତିଥି ଭବନକୁ ଯାଇ ଦମ୍ପତିଙ୍କ ମଧ୍ୟରେ ବୁଝାମଣା ଲାଗି ଆଲୋଚନା କରି ଫେରିଛନ୍ତି। ତପସ୍ବିନୀଙ୍କ ଡାକ୍ତର ସ୍ବାମୀ ସୁମିତ ଶୁକ୍ରବାର ଆସିକା ବ୍ଲକ ବାଲିସିରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଫେରିଛନ୍ତି। ୭ଦିନ ପରେ ଉଭୟେ କୋର୍ଟରେ ନିଜ ନିଜର ପକ୍ଷ ରଖିବେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ତପସ୍ବିନୀ ଓ ସୁମିତ ଗତବର୍ଷ କୋର୍ଟରେ ବିବାହ କରିଥିଲେ। ଶାଶୁଘର ଲୋକେ ନିର୍ଯାତନା ଦେଇଥିବା ତପସ୍ବିନୀ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ସୁମିତଙ୍କ ପରିବାର ଲୋକେ ମାମଲା ଉଠାଇବାକୁ ତପସ୍ବିନୀଙ୍କୁ ମନାଇ ବାହାଘର କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ବାହାଘର ନ ହେବାରୁ ତପସ୍ବିନୀ ଧାରଣା ଦେଇଥିଲେ। ସୁଫଳ ନ ମିଳିବାରୁ ସ୍ବାମୀଙ୍କ ସହ ରହିବା ପାଇଁ ବ୍ରହ୍ମପୁର ଏସଡିଜେଏମ କୋର୍ଟଙ୍କ ଆଶ୍ରୟ ନେଇଥିଲେ।