କିଲି ପଲ୍‌ଙ୍କୁ ଆକ୍ରମଣ, ଦିନେ ପ୍ରଧାନମନ୍ତ୍ରୀ ମୋଦି କରିଥିଲେ ପ୍ରଶଂସା

ଡୋଡୋମା,୨।୫:ତାଞ୍ଜାନିଆର ସୋସିଆଲ ମିଡିଆ ତାରକା କିଲି ପଲଙ୍କୁ ଅଜ୍ଞାତ ବ୍ୟକ୍ତି ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ସାଂଘାତିକ ଆକ୍ରମଣ କରାଯାଇଥିଲା, କିନ୍ତୁ ସେ କୌଣସି ପ୍ରକାରେ ନିଜକୁ ରକ୍ଷା କରିବାରେ ସଫଳ ହୋଇଥିଲେ। ଏହି ଘଟଣା ବିଷୟରେ କିଲି ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସ୍‌ରେ କହିଛନ୍ତି। ଏହା ସହ ସେ ନିଜର ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ଏଥିରେ ସେ ଆହତ ହୋଇଥିବା ଦେଖାଯାଇଛି।
କିଲି ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସ୍‌ରେ ଲେଖିଛନ୍ତି, ମୋତେ ୫ ଜଣ ଲୋକ ଆକ୍ରମଣ କରିଥିଲେ, ମୋର ଡାହାଣ ହାତର ଆଙ୍ଗୁଠି ଛୁରିରେ ଆଘାତ ଲାଗିଥିଲା। ଏହା ବ୍ୟତୀତ ମୋତେ ଠେଙ୍ଗାରେ ପିଟିଥିଲେ। ମୋର ୫ଟି ଷ୍ଟିଚ ପଡିଛି। ଭଗବାନଙ୍କୁ ଧନ୍ୟବାଦ ଦେଉଛି ଯେ ମୁଁ ଦୁଇ ଜଣଙ୍କୁ ପିଟିବା ସହ ନିଜକୁ ରକ୍ଷା କରିବାରେ ସକ୍ଷମ ହୋଇଥିଲି ଏବଂ ସେଠାରୁ ପଳାଇ ଯାଇଥିଲି। ମୋ ପାଇଁ ପ୍ରାର୍ଥନା କରନ୍ତୁ। ଏପ୍ରିଲ ୨୯ରେ ନିଜ ଇନଷ୍ଟାଗ୍ରାମ ଷ୍ଟାଟସ୍‌ରେ କିଲି ଏହି ଘଟଣା ବିଷୟରେ କହିଥିଲେ।
କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମରେ କିଲି ପଲ ଏବଂ ତାଙ୍କ ଭଉଣୀ ନୀମା ପାଲଙ୍କ ଲିପ ସିଙ୍କିଂ କଳାକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଉଭୟଙ୍କର ଭାରତୀୟ ସଙ୍ଗୀତ ପ୍ରତି ଏକ ଉତ୍ସାହ ଅଛି। ଏହି କ୍ରେଜ ପାଇଁ ସେମାନେ ବହୁତ ଲୋକପ୍ରିୟ। ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରଶଂସା ପରେ ଉଭୟଙ୍କ ଲୋକପ୍ରିୟତା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା।
ଇନଷ୍ଟାଗ୍ରାମରେ କିଲି ପଲଙ୍କର ଏବେ ୩୬ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ଭାରତରେ ତାଙ୍କର ଲୋକପ୍ରିୟତାର କାରଣ ହେଉଛି ବଲିଉଡ ଗୀତଗୁଡ଼ିକରେ ଲିପ ସିଙ୍କ କରନ୍ତି। ବଲିଉଡର ଗୀତ ଏବଂ ସଂଳାପକୁ ଲିପ ସିଙ୍କ କରି ଉଭୟ ଭାଇଭଉଣୀ ଭାରତୀୟଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହାସଲ କରିଛନ୍ତି। କେବଳ ଏତିକି ନୁହେଁ, ବଲିଉଡର ଅନେକ ସେଲିବ୍ରିଟି ମଧ୍ୟ ଇନଷ୍ଟାଗ୍ରାମରେ କିଲିଙ୍କୁ ଫଲୋ କରନ୍ତି।

Share