Categories: ଖେଳ

ପ୍ରି କ୍ୱାର୍ଟରରେ ତନିଶା-ଅଶ୍ୱିନ

କୋଲୁନ୍‌,୧୪ା୯(ପି.ଟି.): ହଂକଂ ଓପନ ସୁପର ୫୦୦ ସିରିଜ୍‌ ବ୍ୟାଡ୍‌ମିଣ୍ଟନର ପ୍ରଥମ ଦିନରେ ମହିଳା ଡବଲ୍ସ ଯୋଡି ତନିଶା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନାପ୍ପା ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରାଜ୍ୟ ଗୋଷ୍ଠୀ ପଦକ ବିଜେତା ଲକ୍ଷ୍ୟ ସେନ୍‌ କିନ୍ତୁ ପିଠି ଯନ୍ତ୍ରଣା କାରଣରୁ ଏହି ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ବୁଧବାର ତନିଶା-ଅଶ୍ୱିନ ଯୋଡି ୨୧-୧୯ ଓ ୨୧-୧୯ ସେଟ୍‌ରେ ଚାଇନିଜ୍‌ ତାଇପେର ଲି ଚିଆ ହିନ୍‌ ଓ ଟେଙ୍ଗ ଚୁନ୍‌ ହୁନ୍‌ଙ୍କୁ ପରାସ୍ତ କରିଛନ୍ତି। ପ୍ରିକ୍ୱାର୍ଟର ମୁକାବିଲାରେ ଭାରତୀୟ ଯୋଡି ଟପ୍‌ ସିଡେଡ୍‌ ମାୟୁ ମାଟ୍ସୁମୋଟୋ ଓ ଓ୍ବାକାନା ନାଗାହାରାଙ୍କୁ ଭେଟିବେ। ପୁରୁଷ ସିଙ୍ଗଲ୍ସରେ ଭାରତୀୟ ଖେଳାଳି ଲକ୍ଷ୍ୟ ସେନ୍‌ ବ୍ୟାକ୍‌ ଷ୍ଟ୍ରେନ୍‌ କାରଣରୁ ଓହରି ଯାଇଥିଲେ। ଆହତ ସମସ୍ୟାରୁ ସୁସ୍ଥ ହୋଇଥିବା ଲକ୍ଷ୍ୟ ଶତ ପ୍ରତିଶତ ଫିଟ୍‌ ନ ଥିବାରୁ ଓହରିବାକୁ ନିଷ୍ପତ୍ତି ନେଲୁ ବୋଲି କହିଛନ୍ତି କୋଚ୍‌ ଅନୁପ ଶ୍ରୀଧର। ଆଗକୁ ଏସିଆନ୍‌ ଗେମ୍ସ ରହିଥିବାରୁ ଶତ ପ୍ରତିଶତ ଫିଟ୍‌ନେସ୍‌ ହାସଲର ଲକ୍ଷ୍ୟ ରହିଛି ବୋଲି କୋଚ୍‌ କହିଛନ୍ତି।

ଲକ୍ଷ୍ୟ ସେନ୍‌ ଓହରି ଯାଇଥିବା ବେଳେ ପୁରୁଷ ସିଙ୍ଗଲ୍ସରେ ଅନ୍ୟତମ ଭାରତୀୟ ପ୍ରିୟାଂଶୁ ରଜାଓ୍ବତ ୧୩-୨୧ ଓ ୧୪-୨୧ ସେଟ୍‌ରେ ଜାପାନର କାଣ୍ଟା ସୁନେୟାମାଙ୍କଠାରୁ ହାରି ଯାଇଥିଲେ। ମହିଳା ସିଙ୍ଗଲ୍ସରେ ଆକର୍ଷୀ କଶ୍ୟପ ୨୧-୧୮ ଓ ୨୧-୧୦ରେ ଜର୍ମାନୀର ଓ୍ବାଇ ଭୋନ୍ନେ ଲିଙ୍କ ନିକଟରୁ ପରାସ୍ତ ହୋଇଥିଲେ। ମାଳବିକା ବନ୍ସୋଡ ୨୧-୧୪, ୨୧-୧୨ ସେଟ୍‌ରେ ଚାଇନାର ଝାଙ୍ଗ ୟିଙ୍କଠାରୁ ହାରି ବିଦାୟ ନେଇଥିଲେ।

ପୁରୁଷ ଡବଲ୍ସରେ କ୍ରିଷ୍ଣା ପ୍ରସାଦ ଗରଗା ଓ ବିଷ୍ଣୁବର୍ଦ୍ଧନ ଗୌଡ ପଞ୍ଜଳା ୨୧-୧୪, ୨୧-୧୯ ସେଟ୍‌ରେ କୋରିଆର କୋସଙ୍ଗ ହୁନ୍‌ ଓ ଶିନ୍‌ ବିକ୍‌ ଚେଓଲଙ୍କଠାରୁ ପରାଜିତ ହୋଇଥିଲେ। ମିକ୍ସଡ ଡବଲ୍ସରେ ବି. ସୁମିତ ରେଡ୍ଡୀ ଓ ଅଶ୍ୱିନୀ ପୋନାପ୍ପା ୧୬-୨୧, ୨୧-୧୬ ଓ ୧୮-୨୧ରେ ମାଲେସିଆର ଚେନ୍‌ ଟାଙ୍ଗ ଜାଏ ଓ ଟୋ ଏ ଓ୍ବେଇଙ୍କଠାରୁ ପରାଜିତ ହୋଇଥିଲେ। ରୋହନ୍‌ କପୁର ଓ ଏନ୍‌ ସିକ୍କି ରେଡ୍ଡୀଙ୍କ ଯୋଡି ୧୯-୨୧ ଓ ୧୦-୨୧ରେ ସିଙ୍ଗାପୁରର ହି ୟୋଙ୍ଗ କାଇ ଟେରୀ ଓ ଟାନ୍‌ ଓ୍ବେଇ ହାନ୍‌ ଜେସିକାଙ୍କଠାରୁ ପରାସ୍ତ ହୋଇଥିଲେ।

Share