ଖୋଲିଲା ତାମ୍ପରା ଲେକ୍‌ ଭ୍ୟୁ ଫ୍ରଣ୍ଟ୍‌

ଛତ୍ରପୁର,୭।୩(ଡି.ଏନ.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ହୁମୁରୀ ତାମ୍ପରା ପର୍ଯ୍ୟଟନ କ୍ଷେତ୍ରକୁ ନୂତନ ରୂପ ମିଳିଛି। ତାମ୍ପରା ଲେକ୍‌ ଭିୟୁ ଫ୍ରଣ୍ଟ୍‌ ପର୍ଯ୍ୟଟକଙ୍କ ପାଇଁ ଟ୍ରାଏଲ ବେସିସ୍‌ରେ ଶନିବାର ଖୋଲାଯାଇଛି। ଶୁଭାରମ୍ଭ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆରଡିଏ ପିଡି ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ଉପଜିଲାପାଳ ପ୍ରମୁଖ ଯୋଗ ଦେଇଥିଲେ। ମଙ୍ଗଳବାରରୁ ପାର୍କିଂ ଓ ଏହା ମଧ୍ୟକୁ ପ୍ରବେଶ ପାଇଁ ଶୁଳ୍କ ଲାଗିବ। ଏଥିଲାଗି ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ଏହା ପରିସର ସଫା ରଖିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଡିଆରଡିଏ ଅଧୀନରେ ଥିବା ଗେଷ୍ଟ ହାଉସ୍‌ ଓ ପୂର୍ବରୁ ଥିବା ବୋଟ୍‌ କ୍ଲବଠାରୁ ଏବେର ତାମ୍ପରା ପର୍ଯ୍ୟଟନ କ୍ଷେତ୍ର ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ, ପାର୍କ, ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ଏଥିସହ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ହ୍ରଦ ନିକଟରେ ପାଣି, ଟଏଲେଟ୍‌ କମ୍ପ୍ଲେକ୍ସ ଓ ସ୍ନାକ୍ସବାର ଖୋଲାଯାଇଛି। ବର୍ତ୍ତମାନ ତାମ୍ପରାରେ ୱାଟର ସ୍ପୋଟର୍‌ସ ଓ ବୋଟିଂ ବ୍ୟବସ୍ଥା ପବ୍ଲିକ୍‌ ପ୍ରାଇଭେଟ୍‌ ପାର୍ଟନରଶିପ(ପିପିପି)ରେ ଚାଲିଛି। ଏବେ ଏହି ପର୍ଯ୍ୟଟନ କ୍ଷେତ୍ରରେ ତାମ୍ପରା ଲେକ୍‌ ଭିୟୁ ଫ୍ରଣ୍ଟ ଯୋଡି ହୋଇଛି। ଏହା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି କୁହାଯାଇଛି। ଏହି ନୂତନ ବ୍ୟବସ୍ଥା ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ କରାଯାଇଛି। ରାଜ୍ୟ ସରକାର ତାମ୍ପରାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଥିବାବେଳେ କେନ୍ଦ୍ର ସରକାର ମଧ୍ୟ ଏଥିପାଇଁ ଅନୁଦାନ ଦେଇଛନ୍ତି। ଅଗସ୍ତି ନୂଆଗଁାରୁ ଆର୍ଯ୍ୟପଲ୍ଲୀ ପର୍ଯ୍ୟନ୍ତ ତାମ୍ପରା ହ୍ରଦର ଓସାର ୧.୨୫ କି.ମି. ଓ ଗଭୀର ୧୪ ଫୁଟ୍‌ ରହିଛି।