Categories: ଜାତୀୟ

ତ୍ରିଭାଷୀ ସୂତ୍ରକୁ ତାମିଲନାଡୁର ବିରୋଧ

ଚେନ୍ନାଇ, ୪ା୮: ନୂତନ ଜାତୀୟ ଶିକ୍ଷାନୀତିରେ ତ୍ରିଭାଷୀ ସୂତ୍ର ଦୁଃଖଦ ଓ ଯନ୍ତ୍ରଣାଦାୟକ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ବାମୀ କହିବା ସହ ଏହାକୁ କାର୍ଯ୍ୟକାରୀ ହେବାକୁ ଦେବେନାହିଁ ବୋଲି କହିଛନ୍ତି। ତାମିଲନାଡୁର ପିଲାମାନଙ୍କ ଉପରେ ହିନ୍ଦୀ ଭାଷାକୁ ଜୋରଜବରଦସ୍ତ ଲାଗୁ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଆନ୍ନା ଦୁରାଇ, ଏମ୍‌ଜିଆର ଏବଂ ଜୟଲଲିଥା ବିରୋଧ କରିଆସୁଥିଲେ। ଉକ୍ତ ଆଭିମୁଖ୍ୟକୁ ପାଲାନିସ୍ବାମୀ ସମର୍ଥନ କରିବା ସହ ତ୍ରିଭାଷୀ ସୂତ୍ରର ପୁନର୍ବିଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ୧୯୬୫ରେ ହିନ୍ଦୀକୁ ସରକାରୀ ଭାଷା କରିବା ପାଇଁ ତତ୍କାଳୀନ କଂଗ୍ରେସ ସରକାର ଉଦ୍ୟମ କରିବାରୁ ତାମିଲନାଡୁରେ ଆନ୍ଦୋଳନ ହୋଇଥିଲା।
ଯଦିଓ ନୂତନ ଶିକ୍ଷାନୀତିରେ ତିନି ଭାଷା ସମ୍ପର୍କରେ ନିଷ୍ପତ୍ତି ରାଜ୍ୟଗୁଡ଼ିକ ଉପରେ ଛାଡ଼ିଦିଆଯାଇଛି, ତେବେ ହିନ୍ଦୀଭାଷାକୁ ଲାଗୁ କରିବା ପାଇଁ କେନ୍ଦ୍ରର ଏହା ଏକ କୌଶଳପୂର୍ଣ୍ଣ ଉଦ୍ୟମ ବୋଲି ତାମିଲନାଡୁର ରାଜନୈତିକ ଦଳଗୁଡ଼ିକ ଭାବୁଛନ୍ତି। କେନ୍ଦ୍ର କୌଣସି ରାଜ୍ୟରେ କୌଣସି ଭାଷାକୁ ଲାଗୁ କରିବ ନାହିଁ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଟୁଇଟ୍‌ ମାଧ୍ୟମରେ ସ୍ପଷ୍ଟ କରିଥିଲେ।

Share