ଚେନ୍ନାଇ, ୨୬।୧୧: ସନ୍ତାନ ଜନ୍ମ ସମୟରେ ପୁରୁଷ ସରକାରୀ କର୍ମଚାରୀଙ୍କୁ ମିଳିବ ୧୫ ଦିନର ପିତୃତ୍ୱ ଛୁଟି । ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ। ରାଜ୍ୟ ସରକାରୀ ବିଭାଗରେ କାର୍ଯ୍ୟରତ ବିବାହିତ ପୁରୁଷ କର୍ମଚାରୀମାନେ ଏହି ସୁବିଧା ପାଇପାରିବେ ।
ତାମିଲନାଡୁ ସରକାରଙ୍କ କହିବା ଅନୁଯାୟୀ, ସନ୍ତାନ ଜନ୍ମ ସମୟରେ ମା’ଙ୍କୁ ଶାରୀରିକ ଓ ମାନସିକ ସହାୟତା ଦେବା ସହ ନବଜାତ ଶିଶୁର ଯତ୍ନ ନେବାରେ ବାପାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ବିବାହିତ ପୁରୁଷ ସରକାରୀ କର୍ମଚାରୀଙ୍କୁ ୧୫ ଦିନର ପିତୃତ୍ୱ ଛୁଟି ପ୍ରଦାନ କରିବାକୁ ସରକାର ଆଦେଶ ଜାରି କରିଛନ୍ତି । ଏହି ଛୁଟି ସନ୍ତାନ ଜନ୍ମର ସମ୍ଭାବ୍ୟ ତାରିଖର ୧୫ ଦିନ ପୂର୍ବରୁ କିମ୍ବା ଶିଶୁ ଜନ୍ମ ହେବାର ୬ ମାସ ମଧ୍ୟରେ ନିଆଯାଇପାରିବ । ଏହାଦ୍ୱାରା ପତ୍ନୀଙ୍କ ମାତୃତ୍ୱ ଛୁଟି ସମୟରେ ସ୍ୱାମୀ ତାଙ୍କ ସହ ରହିବା ସହ ଶିଶୁର ଯତ୍ନ ନେଇପାରିବେ।
ସୂଚନାଯୋଗ୍ୟ, ତାମିଲନାଡୁରେ ମହିଳା ସରକାରୀ କର୍ମଚାରୀଙ୍କୁ ବର୍ତ୍ତମାନ ୩୬୫ ଦିନର ମାତୃତ୍ୱ ଛୁଟି ମିଳୁଛି। ପୁରୁଷ କର୍ମଚାରୀଙ୍କ ପକ୍ଷରୁ ମଧ୍ୟ ପିତୃତ୍ୱ ଛୁଟି ପ୍ରଦାନ ପାଇଁ ଦାବି ହୋଇଆସୁଥିଲା। ଏହି ନିଷ୍ପତ୍ତି ଦ୍ୱାରା ପରିବାରର ଦାୟିତ୍ୱ ବାଣ୍ଟିବା ସହ ଶିଶୁର ଉତ୍ତମ ଲାଳନପାଳନରେ ସହାୟତା ମିଳିବ ବୋଲି ସରକାର କହିଛନ୍ତି।