Categories: ଜାତୀୟ

ହାର୍‌-ଜିତ୍‌ ପୂର୍ବରୁ କରୋନାରେ ପ୍ରାଣ ହରାଇଲେ କଂଗ୍ରେସ ପ୍ରାର୍ଥୀ

ଚେନ୍ନାଇ,୧୧।୪: ତାମିଲନାଡୁ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମାଧବ ରାଓଙ୍କ ପରଲୋକ ଘଟିଛି। ସେ କରୋନାରେ ପ୍ରାଣ ହରାଇଥିବା କୁହାଯାଉଛି। ରାଓ ଶ୍ରୀବିଲିପୁଥୁର ଆସନରୁ କଂଗ୍ରେସ ପ୍ରାର୍ଥୀ ଥିଲେ। ୬୩ ବର୍ଷୀୟ ରାଓଙ୍କୁ କରୋନା ଲକ୍ଷଣ ପରେ ମାର୍ଚ୍ଚ ୨୦ ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ତାଙ୍କ ଫୁସଫୁସରେ ମଧ୍ୟ ସଂକ୍ରମଣ ହୋଇଥିଲା। ତାମିଲନାଡୁର ମୋଟ ୨୩୪ ବିଧାନସଭା ଆସନରେ ଏପ୍ରିଲ ୬ରେ ମତଦାନ ହୋଇଥିଲା। ଏଠାରେ କେବଳ ଗୋଟିଏ ପର୍ଯ୍ୟାୟରେ ମତଦାନ କରାଯାଇଥିଲା।
ରିପୋର୍ଟ ଅନୁଯାୟୀ, ନାମାଙ୍କନ ଦାଖଲ କରିବାର ମାତ୍ର ଦୁଇ ଦିନ ପରେ ମାଧବ ରାଓ ଅସୁସ୍ଥ ହୋଇପଡିଥିଲେ। ସେ ପ୍ରଚାର ମଧ୍ୟ କରିପାରି ନ ଥିଲେ। ତାଙ୍କୁ ମୁଦୁରାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେଣୁ ନିର୍ବାଚନ ସମୟରେ ତାଙ୍କ ଝିଅ ଦିବ୍ୟା ରାଓ ନିର୍ବାଚନ ପ୍ରଚାର ଦାୟିତ୍ୱ ଗ୍ରହଣ କରିଥିଲେ। ରାଓ ଜଣେ ବ୍ୟବସାୟୀ ହେବା ବ୍ୟତୀତ ଜଣେ ଆଇନ ପରାମର୍ଶଦାତା ଥିଲେ ଏବଂ ଜିଲା କଂଗ୍ରେସ କମିଟିରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ। ସେ ତାମିଲନାଡୁ କଂଗ୍ରେସରେ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସକ୍ରିୟ ସଦସ୍ୟ ଥିଲେ। ସୂଚନାଯୋଗ, ଯଦି ମାଧବ ରାଓ ନିର୍ବାଚନରେ ଜିତନ୍ତି, ତେବେ ଶ୍ରୀବିଲିପୁଥୁର ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ।

Share