ଚେନ୍ନାଇ,୨୧।୧୧: ତାମିଲନାଡୁରେମାନବିକତା ଓ ସମ୍ମାନର ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଛି। ଦିବଙ୍ଗତ ଟିଭିକେ (TVK) ବିଧାୟକ ଭି.ଏସ. ବାବୁଙ୍କୁ ଶେଷ ବିଦାୟ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ଥଲାପଥି ବିଜୟ ପ୍ରାୟ ୨.୩ କିଲୋମିଟର ଖାଲି ପାଦରେ ଚାଲିଛନ୍ତି। କେବଳ ସେତିକି ନୁହେଁ, ବିଧାୟକଙ୍କ ପାର୍ଥିବ ଶରୀରକୁ ନିଜ କାନ୍ଧରେ ମଧ୍ୟ ବହନ କରିଥିଲେ। ଏହସହ ସେ ପ୍ରୋଟକଲ ବି ଭାଙ୍ଗିଥିଲେ। ବିଜୟଙ୍କ ଏହି ଭାବବିହ୍ବଳ ପଦକ୍ଷେପ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଭି.ଏସ. ବାବୁଙ୍କର ଗୁରୁବାର ହୃଦଘାତରେ ଦେହାନ୍ତ ହୋଇଥିଲା। ଶୁକ୍ରବାର ଚେନ୍ନାଇର ପେରାମ୍ବୁରସ୍ଥିତ ତାଙ୍କ ବାସଭବନରୁ ଶେଷକୃତ୍ୟ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏହା ପ୍ରାୟ ୨.୩ କିଲୋମିଟର ଦୂର ଥିରୁ.ଭି.କା. ନଗରସ୍ଥିତ ଶ୍ମଶାନରେ ପହଞ୍ଚିଥିଲା। ଶୋଭାଯାତ୍ରା ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜୟ ଦିବଙ୍ଗତ ବିଧାୟକଙ୍କ ପାଦ ସ୍ପର୍ଶ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଫୁଲରେ ସଜ୍ଜିତ ଗାଡ଼ିରେ ରଖାଯାଇଥିବା ପାର୍ଥିବ ଶରୀରକୁ କାନ୍ଧ ଦେଇଥିଲେ। ଏହାପରେ ସେ ଖାଲି ପାଦରେ ଗାଡ଼ି ପଛରେ ଚାଲି ଚାଲି ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲେ। ତାଙ୍କ ସହ ରାଜ୍ୟର ମନ୍ତ୍ରୀ, ବିଧାୟକ ଏବଂ ଏମ୍ଡିଏମ୍କେ ସାଧାରଣ ସମ୍ପାଦକ ଭାଇକୋ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବିଜୟଙ୍କ ଏହି ଆଚରଣ ଦେଖି ଉପସ୍ଥିତ ଦଳୀୟ କର୍ମୀ ଓ ସମର୍ଥକମାନେ ଭାବବିହ୍ବଳ ହୋଇପଡ଼ିଥିଲେ। ଅନେକଙ୍କ ଆଖିରୁ ଲୁହ ଝରିଥିଲା। ସୋସିଆଲ ମିଡିଆରେ ମଧ୍ୟ ବିଜୟଙ୍କ ଏହି ଶ୍ରଦ୍ଧାଞ୍ଜଳି ଓ ବିନମ୍ରତାକୁ ବ୍ୟାପକ ପ୍ରଶଂସା କରାଯାଉଛି।
ଉଲ୍ଲେଖଯୋଗ୍ୟ, ଭି.ଏସ. ବାବୁ କୋଲାଥୁର ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ। ନିକଟରେ ହୋଇଥିବା ତାମିଲନାଡୁ ବିଧାନସଭା ନିର୍ବାଚନରେ ସେ ଡିଏମକେ ମୁଖ୍ୟ ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କୁ ପରାସ୍ତ କରିଥିଲେ। ତାଙ୍କ ବିୟୋଗ ପରେ କୋଲାଥୁର ଆସନ ଖାଲି ପଡ଼ିଥିବାରୁ ଏଠାରେ ଉପନିର୍ବାଚନ ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ଜାରି ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ବିଜୟ ବାବୁଙ୍କୁ ଜଣେ ନିଷ୍ଠାବାନ ଜନନେତା ଭାବେ ବର୍ଣ୍ଣନା କରିବା ସହ ତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଥିଲେ। ଏଥିସହ ଶୋକସନ୍ତପ୍ତ ପରିବାର ଓ ସମର୍ଥକଙ୍କୁ ସମବେଦନା ଜଣାଇଥିଲେ।