ବିଧାନସଭାର ପୁରୁଣା ପରମ୍ପରା ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ବିଜୟ: କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ

ଚେନ୍ନାଇ,୨୮।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ ଗୁରୁବାର ବିଧାନସଭାରେ ଏକ ପୁରୁଣା ପରମ୍ପରା ଭାଙ୍ଗି ଚର୍ଚ୍ଚାକୁ ଆସିଛନ୍ତି। ବିଧାନସଭାର ଅପରାହ୍ନ ଅଧିବେଶନ ସମୟରେ ସେ ନିଜ ପାଇଁ ନିର୍ଦ୍ଧାରିତ ମୁଖ୍ୟମନ୍ତ୍ରୀଙ୍କ ଆସନ ଛାଡ଼ି ମନ୍ତ୍ରୀମାନଙ୍କ ପାଇଁ ଥିବା ଆଗ ଧାଡ଼ିର ଆସନରେ ଯାଇ ବସିଥିଲେ। ବିଜୟଙ୍କ ଏହି ପଦକ୍ଷେପ ସଦନରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ସାଧାରଣତଃ ବିଧାନସଭାରେ ବାଚସ୍ପତିଙ୍କ ଆସନ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ସ୍ବତନ୍ତ୍ର ଆସନ ରହିଥାଏ। ଅନ୍ୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଗ ଧାଡ଼ିରେ ବସନ୍ତି ଏବଂ ସେମାନଙ୍କ ଆସନ ସାଧାରଣତଃ ବରିଷ୍ଠତା ଅନୁଯାୟୀ ନିର୍ଦ୍ଧାରିତ ହୋଇଥାଏ।

ଗୁରୁବାର ଅପରାହ୍ନ ସମୟରେ ବିଜୟ ବାଚସ୍ପତି JCD ପ୍ରଭାକରଙ୍କ ଡାହାଣ ପାର୍ଶ୍ୱରେ ଥିବା ନିଜ ନିର୍ଦ୍ଧାରିତ ଆସନ ଛାଡ଼ି ମନ୍ତ୍ରୀ କେ.ଏ. ସେଙ୍ଗୋଟ୍ଟାୟନ ଓ ଆଧବ ଅର୍ଜୁନଙ୍କ ମଧ୍ୟରେ ଯାଇ ବସିଥିଲେ।

ସୂତ୍ର କହିବା ଅନୁସାରେ, ପଦ ଅନୁଯାୟୀ ନିର୍ଦ୍ଧାରିତ ସ୍ବତନ୍ତ୍ର ଆସନ ଛାଡ଼ି ଜଣେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ପାଇଁ ଥିବା ଆସନରେ ବସିବା ଏକ ଅସାଧାରଣ ଘଟଣା। ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ଏଭଳି କରିଥିବା ଉଦାହରଣ ବହୁତ କମ୍‌ ବୋଲି ସୂତ୍ର କହିଛି।

ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଆଧବ ଅର୍ଜୁନ କହିଥିଲେ ଯେ ବିଭିନ୍ନ ବିଭାଗର ସଚିବମାନେ ନିକଟସ୍ଥ ଏକ ‘ୱାର ରୁମ’ରେ ଉପସ୍ଥିତ ଥିଲେ। ସେମାନେ ବିଧାୟକମାନଙ୍କ ଭାଷଣ ଓ ସଦନରେ ଉଠାଯାଉଥିବା ବିଭିନ୍ନ ପ୍ରସଙ୍ଗକୁ ନୋଟ କରୁଥିବା ସେ କହିଥିଲେ।

୨୩୪ ସଦସ୍ୟ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ବିରୋଧୀ ଦଳ ସାଧାରଣତଃ ଶାସକ ଦଳର ବେଞ୍ଚର ସାମ୍ନା ଧାଡ଼ିରେ ବସିଥାଏ। ବିରୋଧୀ ଦଳର ନେତା ଏବଂ ବିଭିନ୍ନ ବିଧାୟକ ଦଳର ନେତାମାନଙ୍କ ଆସନ ସେମାନଙ୍କ ଦଳର ସଂଖ୍ୟାବଳ ଅନୁଯାୟୀ ନିର୍ଦ୍ଧାରିତ ହୁଏ।

ଗୁରୁବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଏହି ଅସାଧାରଣ ଆସନ ପରିବର୍ତ୍ତନ ଦିନର ଗୁରୁତ୍ୱପୂର୍ଣ୍ଣ ଘଟଣା ମଧ୍ୟରୁ ଗୋଟିଏ ହୋଇଥିଲା। ପାରମ୍ପରିକ ବସିବା ବ୍ୟବସ୍ଥାରୁ ଅଲଗା ହୋଇ ବିଜୟଙ୍କ ଏହି ପଦକ୍ଷେପକୁ ନେଇ ବିଧାନସଭା ଭିତରେ ଚର୍ଚ୍ଚା ଆରମ୍ଭ ହୋଇଛି।

Odisha’s No.1 Odia Daily

Share