NEET ବିରୋଧରେ ବିଜୟ ସରକାରଙ୍କ ବଡ଼ ପଦକ୍ଷେପ, ବିରୋଧୀ DMK କଲା ସମର୍ଥନ

ନୂଆଦିଲ୍ଲୀ, ୧୧।୮: ତାମିଲନାଡୁର ବିଜୟ ସରକାର ମଙ୍ଗଳବାର ବିଧାନସଭାରେ NEET ପରୀକ୍ଷାକୁ ଉଚ୍ଛେଦ କରିବା ଏବଂ ସ୍ନାତକସ୍ତରୀୟ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଦ୍ୱାଦଶ ଶ୍ରେଣୀର ନମ୍ବରକୁ ଆଧାର କରିବା ଦାବିରେ ଏକ ପ୍ରସ୍ତାବ ପାରିତ କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ କେ.ଜି. ଅରୁଣରାଜଙ୍କ ପକ୍ଷରୁ ଉପସ୍ଥାପିତ ଏହି ପ୍ରସ୍ତାବରେ କୁହାଯାଇଛି ଯେ, NEET ସାମାଜିକ ନ୍ୟାୟ ଓ ସମାନତାର ବିରୋଧୀ। ଏହା ସହିତ ମେଡିକାଲ ଶିକ୍ଷା କ୍ଷେତ୍ରରେ ରାଜ୍ୟଗୁଡ଼ିକର ଅଧିକାରକୁ ମଧ୍ୟ ପ୍ରଭାବିତ କରୁଛି।

ଏହି ପ୍ରସ୍ତାବକୁ DMK, AIADMK, PMK ଏବଂ ବାମଦଳଗୁଡ଼ିକର ସଦସ୍ୟମାନେ ସମର୍ଥନ କରିଥିଲେ। ତେବେ ଭାଜପାର ଏକମାତ୍ର ବିଧାୟକ ଭୋଜରାଜନ ଏହାକୁ ବିରୋଧ କରିବା ସହ ବିଧାନସଭାରୁ ୱାକଆଉଟ କରିଥିଲେ।

ସ୍ବାସ୍ଥ୍ୟମନ୍ତ୍ରୀ କେ.ଜି. ଅରୁଣରାଜ ପ୍ରସ୍ତାବ ଉପସ୍ଥାପନ କରି କହିଥିଲେ ଯେ, NEET ସାମାଜିକ ନ୍ୟାୟ ଓ ସମାନତାର ସିଦ୍ଧାନ୍ତ ବିରୋଧୀ ବୋଲି ରାଜ୍ୟ ସରକାର ଦୀର୍ଘଦିନ ଧରି ନିଜର ମତ ରଖିଆସୁଛି। ମେଡିକାଲ ଶିକ୍ଷା କ୍ଷେତ୍ରରେ ରାଜ୍ୟଗୁଡ଼ିକର ଅଧିକାର ପ୍ରଭାବିତ ହେଉଥିବା ମଧ୍ୟ ପ୍ରସ୍ତାବରେ ଦାବି କରାଯାଇଛି।

ପ୍ରସ୍ତାବରେ କୁହାଯାଇଛି ଯେ, NEET ତାମିଲ ମାଧ୍ୟମରେ ପାଠପଢ଼ୁଥିବା ଛାତ୍ରୀଛାତ୍ରଙ୍କ ସହିତ ଗ୍ରାମାଞ୍ଚଳ ଏବଂ ସାମାଜିକ-ଆର୍ଥିକ ଭାବେ ବଞ୍ଚିତ ବର୍ଗର ଛାତ୍ରୀଛାତ୍ରଙ୍କ ମେଡିକାଲ ଶିକ୍ଷା ହାସଲ କରିବାର ସୁଯୋଗକୁ ଗୁରୁତର ଭାବେ ପ୍ରଭାବିତ କରୁଛି।

ତାମିଲନାଡୁ ବିଧାନସଭାରେ ପାରିତ ହୋଇଥିବା ପ୍ରସ୍ତାବରେ କେନ୍ଦ୍ର ସରକାରଙ୍କୁ NEET ପରୀକ୍ଷାକୁ ଉଚ୍ଛେଦ କରିବା ସହିତ ସ୍ନାତକସ୍ତରୀୟ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଦ୍ୱାଦଶ ଶ୍ରେଣୀର ନମ୍ବରକୁ ଆଧାର କରିବାର ବ୍ୟବସ୍ଥା ଲାଗୁ କରିବାକୁ ଦାବି କରାଯାଇଛି।

ରାଜ୍ୟ ସରକାରଙ୍କ ଯୁକ୍ତି ହେଉଛି, ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଗୋଟିଏ ଦିନର ପରୀକ୍ଷାକୁ ଛାତ୍ରୀଛାତ୍ରଙ୍କ ୧୨ ବର୍ଷର ସ୍କୁଲ ଶିକ୍ଷା ଉପରେ ନିର୍ଣ୍ଣାୟକ ଭାବେ ଲାଗୁ କରାଯିବା ଉଚିତ ନୁହେଁ।

Dharitri – Odisha’s No.1 Odia Daily