Categories: ଜାତୀୟ

ନିିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ମହିଳାଙ୍କ ଲୁଗା ଧୋଇ ଚର୍ଚ୍ଚାରେ ଏହି ନେତା: କହିଲେ ଜିତିଲେ ‘ଓ୍ବାଶିଂ ମେଶିନ ଦେବି’

ଚେନ୍ନାଇ, ୨୩।୩: କଥାରେ ଅଛି ନିର୍ବାଚନ ବୈତରଣୀ ପାର ହେବାଲାଗି ରାଜନେତାମାନେ କିଛି ବି କରିପାରନ୍ତି। ସେଭଳି ଏକ ଘଟଣା ତାମିଲନାଡ଼ୁର ନଗାପଟ୍ଟିନମ୍‌ରେ ମଙ୍ଗଳବାର ଦେଖିବାକୁ ମିଳିଛି। ଏଠାରେ ନିର୍ବାଚନ ପ୍ରଚାରକୁ ଓହ୍ଲାଇଥିବା ଏଆଇଏଡିଏମ୍‌କେ ଦଳର ପ୍ରାର୍ଥୀ ଥଙ୍ଗା କାଠିରାଓ୍ବନ ଲୋକଙ୍କ ଲୁଗା ସଫା କରି ଚର୍ଚ୍ଚାକୁ ଆସିଛନ୍ତି। ଏପରିକି ସେ ନିର୍ବାଚନ ଜିତିଲେ ଲୋକଙ୍କୁ ଓ୍ବାଶିଂ ମେଶିନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସୋମବାର ନିର୍ବାଚନ କ୍ଷେତ୍ରରେ ପ୍ରଚାର ପାଇଁ ଥଙ୍ଗା ନିଜ ସମର୍ଥକଙ୍କ ସହ ଯାଇଥିଲେ। ଏହି ସମୟରେ ସେ ଏକ ସ୍ଥାନରେ ଜଣେ ମହିଳା କିଛି ଲୁଗା ଓ ବାସନ ଧୋଉଥିବା ନଜର ଆସିଥିଲା। ପରେ ସେ ସେଠାକୁ ଯାଇ ମହିଳାଙ୍କଠାରୁ ଲୁଗା ନେଇ ନିଜେ ସଫା କରିଥିଲେ। ଏପରିକି ବାସନ ମଧ୍ୟ ଧୋଇଥଲେ। ତାଙ୍କର ଏଭଳି କାର୍ଯ୍ୟ ଅନେକଙ୍କୁ ଚକିତ କରିଥିବା ବେଳେ କିଛି ପ୍ରଭାବିତ ହୋଇଥିଲେ। ସେଠାରେ ଉପସ୍ଥିତ ଲୋକଙ୍କୁ ସେ ମା’ ମାନଙ୍କୁ ଓ୍ବାଶିଂମେଶିନ ଦେବେ ବୋଲି କହିଥିଲେ। ଏହାଦ୍ୱାରା ମହିଳାମାନଙ୍କୁ ହାତରେ ଲୁଗା ସଫା କରିବାକୁ ପଡ଼ିବା ନାହିଁ। ସରକାର ସେମାନଙ୍କ ଯତ୍ନ ନେବେ ବୋଲି ସେ ମଧ୍ୟ କହିଥିଲେ।

ତେବେ ଏପ୍ରିଲ ୬ରେ ତାମିଲନାଡ଼ି ବିଧାନସଭାର ୨୩୪ ସିଟ୍‌ରେ ନିର୍ବାଚନ ଅନୁଷ୍ଠିତ ହେବ। ଏଆଇଏଡିଏମ୍‌କେ ଏବଂ ଡିଏମ୍‌କେ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ।

Share