ତାଳସାରୀ-ଉଦୟପୁର ପଥରବନ୍ଧ ଅନୁଧ୍ୟାନ କଲେ ଜିଲାପାଳ

ଭୋଗରାଇ, ୫।୭(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟ ପୁର-ତାଳସାରୀ ୨. ୭ କି.ମି. ତଟସୁରକ୍ଷା ପାଚେରି ପଥରବନ୍ଧ ପ୍ରାକ୍‌ ମୌସୁମୀରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ମଙ୍ଗଳବାର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଏହି ପଥରବନ୍ଧ ଅନୁଧ୍ୟାନ କରିବା ସହିତ ଜଳସମ୍ପଦ ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହିତ ସମୀକ୍ଷା କରିଛନ୍ତି। କେଉଁ କାରଣରୁ ଏହି ପଥରବନ୍ଧ ବିଭିନ୍ନ ସ୍ଥାନରେ ଧସିଯାଉଛି, ଏନେଇ ବିଭାଗୀୟଙ୍କ ସହ ଆଲୋଚନା କରିଥିଲେ।
ଓଡିଶା ସୀମାନ୍ତରେ ଏହି ପଥରବନ୍ଧ ନିର୍ମାଣ, ସୌନ୍ଦର୍ଯ୍ୟକରଣ ସହ ପଶ୍ଚିମବଙ୍ଗ ଦୀଘା ଭଳି ସମକକ୍ଷ ହେବା ନିମନ୍ତେ ୨୦୧୧ ମସିହାରୁ ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଓ ସଚିବମାନେ ଘନ ଘନ ଏଠାକୁ ଆସି ଏକ ଶହ କୋଟିର ସ୍ବତନ୍ତ୍ର ମାଷ୍ଟରପ୍ଲାନ ପ୍ରସ୍ତୁତ କରିଥିବା ବେଳେ ଅଦ୍ୟାବଧି ୭୮କୋଟି ଅନୁଦାନ ରାଜ୍ୟ ସରକାର ଦେଇଛନ୍ତି। ହେଲେ ଏହି କାର୍ଯ୍ୟ ୧୩ବର୍ଷ ଧରି ସମ୍ପୂର୍ଣ୍ଣ ନ ହେବା ଓ ସାମାନ୍ୟ ବର୍ଷାରେ ୫୦ସ୍ଥାନରେ ବଡ଼ ବଡ ଘାଇ ହେବା ବିଭାଗୀୟଙ୍କୁ ଅଡୁଆରେ ପକାଇଛି। ଓଡିଶା ସୀମାନ୍ତ ଉଦୟପୁରକୁ ସଂଯୋଗ ହୋଇଥିବା ପଶ୍ଚିମବଙ୍ଗ ଦୀଘା ସୈକତ ସହର ଓ ତଟ ସୁରକ୍ଷା ପଥରବନ୍ଧ ସୁରକ୍ଷିତ ରହିଥିବା ବେଳେ ଓଡିଶାର ଜଳସମ୍ପଦ ଓ ପୂର୍ତ୍ତ ବିଭାଗ ସେଠାରୁ ଦେଖି ଚାହିଁ କିଛି ଶିକ୍ଷା କରିପାରିନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ପଥରବନ୍ଧ ବିଭିନ୍ନ ସ୍ଥାନରେ ଧସିଯିବା ପରେ ଠିକାଦାର ସଂସ୍ଥା ଓସିସି ନିଜର ଅପାରଗତା ଓ ଦୁର୍ନୀତି ଲୁଚାଇବାକୁ ଯାଇ ପଥରବନ୍ଧରେ ତରବରିଆ ଭାବେ ସମୁଦ୍ର ବାଲିପନ୍ତାରୁ ଟ୍ରାକ୍ଟର ଯୋଗେ ବାଲି ପକାଇ ମରାମତି କରୁଛନ୍ତି, ଯାହାକି ଆସନ୍ନ ବର୍ଷା ଓ ସମୁଦ୍ର ଉତ୍ତାଳ ଢେଉରେ ଏହି ପଥରବନ୍ଧ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହେବା ନେଇ ଆଶଙ୍କା ଦେଖାଦେଇଛି ବୋଲି କୂଳବାସୀ ପ୍ରକାଶ କରିଛନ୍ତି l