ଆବୁଧାବି,୧୧ା୧୧: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ପାଖାପାଖି ୫ ବର୍ଷ ହେଲା ଲାଗିରହିଥିବା ଯୁଦ୍ଧର ପରିସମାପ୍ତି ପାଇଁ ଆମେରିକା ଆଉ ଏକ ଉଦ୍ୟମ ଆରମ୍ଭ କରିଛି। ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ରାଜଧାନୀ ଆବୁଧାବିଠାରେ ମଙ୍ଗଳବାର ରୁଷିଆ, ୟୁକ୍ରେନ୍ ଏବଂ ଆମେରିକା ଆଲୋଚନା ଆରମ୍ଭ କରିଛନ୍ତି। ଗତ ଫେବୃଆରୀ ପରେ ଏହା ଆବୁଧାବିରେ ପ୍ରଥମ ବୈଠକ। ଆଲୋଚନା ପୂର୍ବରୁ ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଥିଲା, ଏହା ଯୁଦ୍ଧ କରୁଥିବା ଦେଶଗୁଡ଼ିକ ପାଇଁ ଭବିଷ୍ୟତ ସୁରକ୍ଷା ଗ୍ୟାରେଣ୍ଟି ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେବ। ନାଟୋକୁ ରୁଷିଆ ଏକ ବିପଦ ଭାବେ ଦେଖୁଥିବାବେଳେ ଭବିଷ୍ୟତରେ ରୁଷିଆ ଆକ୍ରମଣକୁ ରୋକିବାକୁ ୟୁକ୍ରେନ୍ ଚାହୁଁଛି।
ମଙ୍ଗଳବାର ଆରମ୍ଭ ହୋଇଥିବା ବୈଠକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଜ୍ୱାଇଁ ଜାରେଡ କୁଶନେରଙ୍କ ସହ ଆମେରିକା ପ୍ରତିନିଧି ଷ୍ଟିଭ୍ ଓ୍ବିଟ୍କଫ୍ ଯୋଗ ଦେଇଛନ୍ତି। ଷ୍ଟିଭ୍ ଉଭୟ ଦେଶ ମଧ୍ୟରେ ଏକ ବୁଝାମଣା କରାଇବାକୁ ଉଦ୍ୟମ କରୁଛନ୍ତି। ଉଭୟ ପକ୍ଷ ମଧ୍ୟରେ ମତପାର୍ଥକ୍ୟ ଦୂର କରିବାକୁ ଭଲ ପନ୍ଥା ରହିଥିବା ସେ ବିଶ୍ୱାସ କରନ୍ତି। ବୈଠକରେ ୟୁକ୍ରେନ୍ ପ୍ରତିନିଧି ରୁସ୍ତେମ ଉମେରୋଭ, କିରାଲୋ ବାଦାନୋଭ, ରୁଷିଆର ମୁଖ୍ୟ
ବୁଝାମଣାକାରୀ ଭ୍ଲାଡିମିର ମେଡିନ୍ସ୍କି, ସର୍ଭେଇ ର଼୍ୟାବକୋଭ୍ ପ୍ରମୁଖ ଯୋଗ ଦେଇଛନ୍ତି। ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପର ଏହି ସବୁଠୁ ଦୀର୍ଘ ଯୁଦ୍ଧକୁ ବନ୍ଦ କରିବା ଦିଗରେ ଚଳିତ ବର୍ଷ ଆରମ୍ଭରୁ ୩ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ଅଗ୍ରଗତି ଆଶା ଦେଖାଯାଇ ନାହିଁ। ଯୁଦ୍ଧରେ ଉଭୟ ଦେଶର ଅନେକ ଲକ୍ଷ ସୈନ୍ୟ ଓ ସାଧାରଣ ନାଗରିକଙ୍କ ଜୀବନ ଗଲାଣି ବୋଲି ବିଶ୍ଳେଷକ ଓ ମାନବୀୟ ସଂଗଠନଗୁଡ଼ିକ କହିଛନ୍ତି। ଯୁଦ୍ଧ କମିବାର କୌଣସି ସଙ୍କେତ ଦେଖାଯାଇ ନାହିଁ। ସମ୍ମୁଖ ଭାଗରେ ୨ ପକ୍ଷ ସେନା ମଧ୍ୟରେ ଅଚଳାବସ୍ଥା ଲାଗିରହିଛି। ଗତ ରାତିରେ ରୁଷିଆ ୟୁକ୍ରେନ୍କୁ ଟାର୍ଗେଟ କରି ୧୬୨ ଡ୍ରୋନ୍ ଓ ଗୋଟିଏ ବାଲିଷ୍ଟିକ୍ ମିଶାଇଲ୍ ଛାଡ଼ିଥିଲା। ସେହିପରି ଗତ ରାତିରେ ରୁଷିଆର ୮ଟି ଅଞ୍ଚଳ ଉପରେ ୟୁକ୍ରେନ୍ର ୧୫୫ଟି ଡ୍ରୋନ୍କୁ ଖସାଇଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।