ଦାରିଙ୍ଗବାଡ଼ି, ୨୯।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ପ୍ରବଳ ବର୍ଷା ଓ ବଢ଼ି ପାଣି ଏବେ ଜନଜୀବନକୁ ପ୍ରଭାବିତ କରିଛି। ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ତାଲିଯୋଡ଼ି ନଦୀ ଉପରେ ଥିବା ବ୍ରିଜ୍ର ଅଧା ଅଂଶ ଧୋଇ ହୋଇଯାଇଛି। ଫଳରେ ଲାରିବାଡ଼ି ସମେତ କୁଡ଼ିମୁଞ୍ଜା ଓ ଗବାଟବାଡ଼ିଏହି ୩ଟି ଗାଁର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।
ସୂଚନା ଅନୁଯାୟୀ, ତାଲିଯୋଡ଼ି ନଦୀରେ ଜଳସ୍ତର ବୃଦ୍ଧି ପାଇବା ପରେ ବ୍ରିଜ ଉପରେ ପ୍ରାୟ ୫ ଫୁଟ ଉଚ୍ଚତାରେ ବଢ଼ି ପାଣି ପ୍ରବାହିତ ହୋଇଥିଲା। ଏହାଦ୍ୱାରା ବ୍ରିଜ୍ଟି କ୍ଷତିଗ୍ରସ୍ତ ହେବା ସହ ଗୁରୁବାର ଅପରାହ୍ନରେ ଏହାର ଅଧା ଅଂଶ ପାଣିରେ ଧୋଇ ହୋଇଯାଇଥିଲା। ଫଳରେ ଉକ୍ତ ୩ଟି ଗାଁର ଲୋକେ ଯାତାୟାତ ପାଇଁ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ଏହି ୩ଟି ଗାଁର ଲୋକଙ୍କ ପାଇଁ ଡକରବାଡ଼ି ଦେଇ ସିମନବାଡ଼ିକୁ ଯିବା ଏକ ବିକଳ୍ପ ରାସ୍ତା ରହିଛି। ତେବେ ଏହି ରାସ୍ତାଟି ସବୁଦିନିଆ ପକ୍କା ରାସ୍ତା ହୋଇ ନ ଥିବାରୁ ଯାତାୟାତକୁ ନେଇ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଛି। ବ୍ରିଜ୍ର ଅଧା ଅଂଶ ଧୋଇଯିବା ପରେ ଲାରିବାଡ଼ି, କୁଡ଼ିମୁଞ୍ଜା ଓ ଗବାଟବାଡ଼ି ଗ୍ରାମବାସୀଙ୍କ ଦୈନନ୍ଦିନ ଯାତାୟାତ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଯୋଗାଯୋଗ ବ୍ୟବସ୍ଥା ସ୍ବାଭାବିକ କରିବା ଏବେ ଏକ ବଡ଼ ଆହ୍ବାନ ପାଲଟିଛି।