ତାଲିବାନର ନୂଆ ରଣନୀତି, କାବୁଲ ସହିତ ଯୋଗାଯୋଗ ବିଚ୍ଛିନ୍ନ ଯୋଜନା…

କାବୁଲ,୧୮।୭: ଆଫଗାନିସ୍ତାନରେ ବିଭିନ୍ନ ଅଞ୍ଚଳରେ ଧୀରେଧୀରେ ଆତଙ୍କବାଦୀ ସଂଗଠନ ତାଲିବାନ ସକ୍ରିୟ ହେବାରେ ଲାଗିଛି। ଦେଶର ସୀମାକୁ ତାଲିବାନ ଜବର ଦଖଲ କରିବାରେ ଲାଗିଛି। ରାଜଧାନୀ କାବୁଲକୁ ନିଜ ନିୟନ୍ତ୍ରଣକୁ ଆଣିବା ଲାଗି ତାଲିବାନ ଯୋଜନା କରିଛି। ଇତିମଧ୍ୟରେ ତାଲିବାନ ନିଜର ଶକ୍ତି ବୃଦ୍ଧିି କରିବା ଲାଗି ଉଦ୍ୟମ କରୁଥିବାବେଳେ ଏନେଇ ଆମେରିକାର ଭୟ ବଢିବାରେ ଲାଗିଛି। କାବୁଲ ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଗଲେ ଆମେରିକା ବାୟୁସେନା ପକ୍ଷରୁ ତାଲିବାନ ଶିବିର ଉପରେ ବୋମା ମାଡ଼ କରାଯିବ ବୋଲି କଡ଼ା ଚେତାବନୀ ଦିଆଯାଇଛି। କାବୁଲ ଉପରେ ଦଖଲ କରିବା ଲାଗି ତାଲିବାନ ରାଜଧାନୀକୁ ଦେଶର ଅନ୍ୟ ଅଞ୍ଚଳଠାରୁ ବିଚ୍ଛିନ୍ନ କରିବା ଯୋଜନା କରିଛି। ଏହାକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନ ସରକାର ସ୍ବତନ୍ତ୍ର ସୈନ୍ୟ ବାହିନୀ ଗଠନ କରିଛନ୍ତି। ଇତିମଧ୍ୟରେ ସୈନ୍ୟ ବାହିନୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା କେତେକ ଟ୍ରକ୍‌, ତୋପ, ମୋର୍ଟାର, ଆଣ୍ଟି ଏୟାରକ୍ରାଫ୍ଟ ବନ୍ଧୁକ ଆଦିକୁ ତାଲିବାନ ନିଜ ନିୟନ୍ତ୍ରଣକୁ ନେଇସାରିଛି। ତେବେ ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ୍‌ ଡିଜେଲ ଟାଙ୍କି ଉପରେ ତାଲିବାନ କବ୍‌ଜା କରି ପାରିନାହିଁ। ତେଲ ଟାଙ୍କିକୁ ନିଜ କବ୍‌ଜାକୁ ନେଲେ ତାଲିବାନର ଶକ୍ତି ଅଧିକ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ଏପରି ହେଲେ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ଘଟଣା ବଢ଼ିବାର ଆଶଙ୍କା ରହିଛି।

Share