ଗର୍ଭନିରୋଧକ ବନ୍ଦ କଲା ତାଲିବାନ

କାବୁଲ,୨୦।୨ : ଆଫଗାନିସ୍ତାନରେ ତାଲିବାନ ୨୦୨୧ ଅଗଷ୍ଟରେ କ୍ଷମତାକୁ ଆସିବା ପରେ ମହିଳାମାନଙ୍କ ଅଧିକାର କ୍ଷୁଣ୍ଣ କରିବାରେ ଲାଗିଛି। ଏବେ ସେମାନେ ଗର୍ଭନିରୋଧକ (କଣ୍ଟ୍ରାସେପ୍ଟିଭ୍‌)କୁ ବେଆଇନ ଘୋଷଣା କରିଛନ୍ତି। ଆଫଗାନିସ୍ତାନର ଦୁଇଟି ମୁଖ୍ୟ ସହରରେ ଏହାର ବିକ୍ରି ବନ୍ଦ କରାଯାଇଛି। ମହିଳାମାନେ ଗର୍ଭନିରୋଧକ ବ୍ୟବହାର କରିବା ମୁସଲମାନ ଲୋକସଂଖ୍ୟାକୁ ନିୟନ୍ତ୍ରଣ କରିବା ଲାଗି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଷଡ଼ଯନ୍ତ୍ର ବୋଲି ତାଲିବାନ କହିଛି। ସେମାନେ ଘରକୁ ଘର ଯାଇ ଗର୍ଭନିରୋଧକ ବ୍ୟବହାର ବନ୍ଦ କରାଇବା ପାଇଁ ଧାଈମାନଙ୍କୁ ଧମକ ଦେଉଛନ୍ତି। ସେହିପରି ଜନ୍ମ ନିୟନ୍ତ୍ରଣ ଔଷଧ ଓ କଣ୍ଡୋମ୍‌ ଆଦି ବିକ୍ରି ନ କରିବାକୁ ସେମାନେ ଔଷଧ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଲିବାନ ଯୋଦ୍ଧାମାନେ ବନ୍ଧୁକ ଧରି କାବୁଲର ପ୍ରତି ଔଷଧ ଦୋକାନକୁ ନିୟମିତ ଯାଞ୍ଚ କରୁଛନ୍ତି । କଣ୍ଟ୍ରାସେପ୍ଟିଭ୍‌ ପିଲ୍‌ ଏବଂ ଡେପୋ-ପ୍ରୋଭେରା ଇଞ୍ଜେକ୍‌ଶନ ଦୋକାନରେ ନ ରଖିବା ପାଇଁ ଧମକ ଦେଉଛନ୍ତି ବୋଲି ଜଣେ ଔଷଧ ବ୍ୟବସାୟୀ କହିଛନ୍ତି। ଫଳରେ ଦୋକାନରେ ରହିଯାଇଥିବା ଷ୍ଟକ୍‌ ବିକ୍ରି କରିବାକୁ ସେମାନେ ଡରୁଥିବା କହିଛନ୍ତି।

ମହିଳାମାନଙ୍କ ଅଧିକାର ଉପରେ ତାଲିବାନ୍‌ର ଏହା ସଦ୍ୟତମ ଆକ୍ରମଣ। ପୂର୍ବରୁ ଏହା ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷାରୁ ବଞ୍ଚତ୍ତ କରିବା ସହ ମହିଳାମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ବନ୍ଦ କରିଦେଇଥିଲା। ସେମାନଙ୍କୁ ଚାକିରି ଛାଡ଼ି ଘରେ ରହିବା ପାଇଁ ବାଧ୍ୟ କରାଯାଇଥିଲା। ତାଲିବାନମାନଙ୍କ ନିୟନ୍ତ୍ରଣ କେବଳ ମହିଳାମାନଙ୍କ କାର୍ଯ୍ୟ କରିବା ଓ ଶିକ୍ଷା ସମ୍ବନ୍ଧୀୟ ମାନବୀୟ ଅଧିକାର ଉପରେ ସୀମିତ ରହିନାହିଁ। ଏବେ ସେମାନେ ମହିଳାମାନଙ୍କ ଶରୀର ଉପରେ ମଧ୍ୟ ଅଧିକାର ସାବ୍ୟସ୍ତ କରିଛନ୍ତି ବୋଲି ବ୍ରିଟେନରେ ଆଫଗାନ ଜନ୍ମିତ ସାମାଜିକ କର୍ମୀ ଶବନମ୍‌ ନସିମି କହିଛନ୍ତି। ପରିବାର ନିୟୋଜନ ନିଷ୍ପତ୍ତି ନେବା ମହିଳାମାନଙ୍କ ମୌଳିକ ମାନବୀୟ ଅଧିକାର। ସମାନତା, ଜୀବନ ଧାରଣ, ଯୌନସ୍ବାସ୍ଥ୍ୟ, ସନ୍ତାନ ଜନ୍ମ ଆଦି ମହିଳାମାନଙ୍କ ଅଧିକାରର ଅଂଶବିଶେଷ ବୋଲି ନସିମି କହିଛନ୍ତି।

୨୦୨୧ର ହ୍ୟୁମ୍ୟାନ ରାଇଟ୍ସ ଓ୍ବାଚ୍‌ ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ମାତୃତ୍ୱ ସ୍ବାସ୍ଥ୍ୟସେବା ଏବଂ ପରିବାର ନିୟୋଜନ ସୁବିଧା ଅଧିକାଂଶ ମହିଳାଙ୍କ ପାଇଁ ଉପଲବ୍ଧ ହୋଇ ନ ଥାଏ। ଦାରିଦ୍ର୍ୟ କାରଣରୁ ୬୧ରୁ ୭୨ ପ୍ରତିଶତ ଆଫଗାନ ମହିଳା ଆଧୁନିକ ଗର୍ଭ ନିରୋଧ ବ୍ୟବସ୍ଥା ଆପଣାଇବାକୁ ଅସମର୍ଥ ହୋଇଛନ୍ତି। ଯେଉଁ କାରଣରୁ ସେମାନେ ଅନିଚ୍ଛା ସତ୍ତ୍ୱେ ଅଧିକ ସନ୍ତାନ ଜନ୍ମ କରିବା ସହ ଗର୍ଭାବସ୍ଥାରେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।

Share