ତାଲିବାନ୍‌ ଶାସନରେ ଶିଶୁ ମୃତ୍ୟୁ ହାର ବଢୁଛି, ୟୁନିସେଫ ରିପୋର୍ଟ…

ନୂଆଦିଲ୍ଲୀ,୭।୧୧: ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତା ଦଖଲ କରିବାପରେ ଦେଶର ଶିଶୁମାନେ ଅବହେଳିତ ହେବାରେ ଲାଗିଛନ୍ତି। ଲଗାତାର ହିଂସା ଯୋଗୁ ୨୦୨୧ର ପ୍ରଥମ ଛଅ ମାସରେ ଆଫଗାନିସ୍ତାନରେ ଅତି କମରେ ୪୬୦ ଶିଶୁଙ୍କର ମୃତ୍ୟୁ ଘଟିଛି। ମିଳିତ ଜାତିସଂଘର ଚିଲଡ୍ରେନ୍ସ୍‌ ଫଣ୍ଡ (ୟୁନିସେଫ) ପକ୍ଷରୁ ଏହାର ସଦ୍ୟତମ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ନଭେମ୍ବର ୪ରେ ବିସ୍ଫୋରଣରେ ପ୍ରାଣ ହରାଇଥିବା ୪ ଜଣ ବାଳିକା ଏବଂ ୨ ବାଳକ ସମେତ ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କ ହତ୍ୟା ବିଷୟରେ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି। ଏହି ବିସ୍ଫୋରଣରେ ଅନ୍ୟ ତିନି ଜଣ ଶିଶୁ ମଧ୍ୟ ଆହତ ହୋଇଥିବା ରିପୋର୍ଟରେ କୁହାଯାଇଛି।

ଗତ ଚାରି ଦଶନ୍ଧି ଧରି ଚାଲିଥିବା ବିବାଦ ଆଫଗାନିସ୍ତାନର ହଜାର ହଜାର ଲୋକଙ୍କ ଜୀବନକୁ ପ୍ରଭାବିତ କରିଛି। ନାଙ୍ଗରହାରରେ ଯୁଦ୍ଧ ସମୟରେ ଗୋଡ ହରାଇଥିବା ହିବତୁଲ୍ଲା ନାମକ ଜଣେ ୬ ବର୍ଷର ବାଳକ କହିଛନ୍ତି ଯେ ସେ ବର୍ତ୍ତମାନ ଏକ ପ୍ରୋଥେଟିକ ଗୋଡ ଉପରେ ନିର୍ଭରଶୀଳ। ହେବତୁଲ୍ଲାଙ୍କ ପିତା ଅବଦୁଲ୍ଲା କହିଛନ୍ତି, ନଙ୍ଗରହରରେ ସଂଘର୍ଷରେ ମୋ ପୁଅକୁ ଗୁଳି କରାଯାଇଥିଲା। ସେ ଦୀର୍ଘ ଦିନ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ପରେ ତାଙ୍କ ଗୋଡ କାଟି ଦିଆଯାଇଥିଲା। ପରିବାର ହତାଶ ହୋଇପଡିଛନ୍ତି ବୋଲି ସେ କହିଥିଲେ। ଅବଦୁଲ୍ଲା କହିଛନ୍ତି ଯେ ତାଙ୍କ ପୁଅ ବର୍ତ୍ତମାନ ରେଡ କ୍ରସ ଦ୍ୱାରା ଚିକିତ୍ସିତ ହେଉଛନ୍ତି ଏବଂ ସେମାନେ ତାଙ୍କ ପାଇଁ ଏକ ପ୍ରୋଥେଟିକ ଗୋଡ ତିଆରି କରିଛନ୍ତି।

ନାଙ୍ଗରହାରରେ ରହୁଥିବା ଥେରାପିଷ୍ଟ ମହମ୍ମଦ ଫହିମ କହିଛନ୍ତି ଯେ ପ୍ରତିଦିନ ତାଙ୍କ ନିକଟକୁ ଅଣାଯାଉଥିବା ୧୫ଜଣଙ୍କ ମଧ୍ୟରୁ ୧୦ ଜଣ ମସ୍ତିଷ୍କ ଫ୍ରିଜରେ ସମସ୍ୟାରେ ପୀଡିତ। ଏଭଳି ପରିସ୍ଥିତି ଅତ୍ୟନ୍ତ ବିପଜ୍ଜନକ ଏବଂ ଏଭଳି ଘଟଣା ପାଇଁ ସେ ଗୃହଯୁଦ୍ଧକୁ ଦାୟୀ କରଛନ୍ତି।

ଆଫଗାନିସ୍ତାନ ପିଲାଙ୍କ ଅବସ୍ଥାକୁ ନେଇ ୟୁନିସେଫ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ୟୁନିସେଫର ଯୋଗାଯୋଗ ମୁଖ୍ୟ ସାମନ୍ଥା ମୋର୍ଟ କହିଛନ୍ତି, ଚଳିତ ବର୍ଷ ବିସ୍ଫୋରଣ ଦ୍ୱାରା ନିହତ ଶିଶୁଙ୍କ ସଂଖ୍ୟାକୁ ନେଇ ଆମେ ମଧ୍ୟ ଚିନ୍ତିତ। ୟୁନିସେଫ ଅନୁଯାୟୀ ଆଫଗାନିସ୍ତାନର ପିଲାମାନେ ବର୍ଷ ବର୍ଷ ଧରି ଦାରିଦ୍ର୍ୟ ତଥା ପୁଷ୍ଟିହୀନତା ଯୋଗୁ ହନ୍ତସନ୍ତ ହେଉଛନ୍ତି।

 

Share