ଆଫଗାନୀଙ୍କୁ ଅନାଥ କଲା ତାଲିବାନ ଶାସନ…

କାବୁଲ,୨୯।୮: ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲ ପରେ ଏବେ ଆଫଗାନୀମାନେ ଅନାଥ ହୋଇ ପଡ଼ିଛନ୍ତି। ଜୀବନ ଭୟ ଏବଂ ତାଲିବାନୀ କଟକଣାକୁ ସହ୍ୟ ନ କରିବା ଚିନ୍ତାରେ ଲକ୍ଷ ଲକ୍ଷ ଲୋକେ ଭିଟାମାଟି ଛାଡ଼ିବା ଆରମ୍ଭ କରିଛନ୍ତି। ଏବେ ସେମାନଙ୍କର ଭିଟାମାଟି ସାତ ପର ପାଲଟିଛିି। ଫଳରେ ଅନ୍ତର୍ଜାତୀୟସ୍ତରରେ ଏବେ ଶରଣାର୍ଥୀ ସଙ୍କଟ ବଢ଼ିବାରେ ଲାଗିଛି। ଏତେ ସଂଖ୍ୟକ ଲୋକଙ୍କୁ ଥଇଥାନ କିଭଳି କରାଯିବା ସେନେଇ ପଡ଼ୋଶୀ ଦେଶଙ୍କ ସହିିିିତ ବିଶ୍ୱର ଅନ୍ୟ ରାଷ୍ଟ୍ରଙ୍କର ଚିନ୍ତା ବୃଦ୍ଧି ପାଇଛି। ଶରଣାର୍ଥୀମାନଙ୍କୁ ଆମେରିକା, କାତାର, ବ୍ରିଟେନ, ଜର୍ମାନୀ, ୟୁଏଇ ସମେତ ଅନେକ ଦେଶରେ ରଖାଯାଉଛି। ଆଫଗାନିସ୍ତାନ ସହିତ ଇରାନ, ପାକିସ୍ଥାନ, ଉଜବେକିସ୍ତାନ, ତୁର୍କମେନିସ୍ତାନ ଏବଂ ତାଜିକିସ୍ତାନ ଆଦି ୫ ଟି ଦେଶର ସୀମା ଲାଗି ରହିଛି। ଜୀବନ ଭୟରେ ଲୋକେ ପଡୋଶୀ ଦେଶର ସୀମା ଆଡକୁ ମୁହାଁଇଛନ୍ତି। ଜାତିସଂଘ ଶରଣାର୍ଥୀ ଉଚ୍ଚାୟୁକ୍ତ(ୟୁଏନ୍‌ଏଚ୍‌ସିଆର୍‌)ଅନୁସାରେ ତାଲିବାନ ଦଖଲ ପୂର୍ବରୁ ୨୨ ଲକ୍ଷ ଆଫଗାନିସ୍ତାନ ଶରଣାର୍ଥୀ ପଡୋଶୀ ଦେଶରେ ଆଶ୍ରୟ ନେଇଥିବାବେଳେ ୩୫ ଲକ୍ଷ ଲୋକ କାବୁଲ-କାନ୍ଦାହାର ଭଳି ସହରର ପଳାଇ ଆସିଥିଲେ। ତାଲିବାନ ଶାସନ ସହିତ ତାଜିକିସ୍ତାନ, ଇରାନ, ଉଜବେକିସ୍ତାନ ସୀମାରେ ଜନସମାଗମ ଆରମ୍ଭ ହେବାରେ ଲାଗିଛି। ଆମେରିକା, ବ୍ରିଟେନ, ଫ୍ରାନ୍ସ, ଭାରତ ଆଦି ଦେଶରେ ଶରଣାର୍ଥୀଙ୍କୁ ଆଶ୍ରୟ ମିଳିଛି। ୟୁଏନ୍‌ଏଚ୍‌ସିଆର୍‌ର ରିପୋର୍ଟ ଅନୁସାରେ ଆଫଗାନିସ୍ତାନ ଶରଣାର୍ଥୀଙ୍କ ସଙ୍କଟ ୧୨ ଦେଶ ପାଇଁ ସତର୍କ ଘଣ୍ଟି ସୃଷ୍ଟି କରିଛି। ଏହା ପାକିସ୍ତାନକୁ ଅଧିକ ପ୍ରଭାବିତ କରୁଛି । ପାକିସ୍ତାନରେ ୧୪ ଲକ୍ଷ ୫୦ ହଜାରରୁ ଅଧିକ ଆଫଗାନିସ୍ତାନୀ ଆଶ୍ରୟ ନେଇଛନ୍ତି। ସେହିପରି ୭ ଲକ୍ଷ ୮୦ ହଜାର ଶରଣାର୍ଥୀ ଇରାନରେ ପହଞ୍ଚିଛନ୍ତି। ଜର୍ମାନୀରେ ଶରଣାର୍ଥୀଙ୍କ ସଂଖ୍ୟା ୧ ଲକ୍ଷ ୮୧ ହଜାର, ତୁର୍କୀରେ ୧ ଲକ୍ଷ ୨୯ ହଜାର, ଅଷ୍ଟ୍ରିଆରେ ୪୬ ହଜାର, ଫ୍ରାନ୍ସରେ ୪୫ ହଜାର, ଗ୍ରୀସରେ ୪୧ ହଜାର, ସ୍ବିଡ଼େନରେ ୩୧ ହଜାର, ସ୍ବିଜରଲାଣ୍ଡରେ ୧୫ ହଜାର, ଭାରତରେ ୧୫ ହଜାର,ଇଟାଲୀରେ ୧୩ ହଜାର,ବ୍ରିଟେନ୍‌ରେ ୧୨ ହଜାର ରହିଛି। ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ରୋକିବା ପାଇଁ ପଡୋଶୀ ଦେଶ ତୁର୍କୀରେ ସୀମାରେ କାନ୍ଥ ନିର୍ମାଣ କରାଯାଇଛି। ଇରାନର ଆଫଗାନିସ୍ତାନ ସୀମାରେ ଥିବା ତିନୋଟି ପ୍ରଦେଶରେ ଜରୁରୀକାଳୀନ ତମ୍ବୁ ସ୍ଥାପନ କରାଯାଇଛି। ଶରଣାର୍ଥୀଙ୍କୁ ଜରୁରୀକାଳୀନ ସହାୟତା ଦିଆଯାଉଛି। ଇରାନ ଆଶା କରୁଛି ଯେ ଯେତେବେଳେ ଆଫଗାନିସ୍ତାନରେ ସ୍ଥିତିରେ ସୁଧାର ଆସିବ, ସେମାନଙ୍କୁ ପୁନର୍ବାର ପଠାଇ ଦିଆଯିବ। ତାଜିକିସ୍ତାନ ସୀମାରେ ୧ ଲକ୍ଷରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି। ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟକ ଆଫଗାନିସ୍ତାନ ସେନା ଏବଂ ବାୟୁସେନା କର୍ମଚାରୀ ମଧ୍ୟ ଅଛନ୍ତି। ଉଜବେକିସ୍ତାନର ସୀମାରେ ମଧ୍ୟ ଶରଣାର୍ଥୀ ସମସ୍ୟା ଦେଖାଦେଇଛି।

Share