୯/୧୧ରେ ସରକାର ଗଠନ କରିପାରେ ତାଲିବାନ୍‌…

କାବୁଲ,୭।୯: ତାଲିବାନ୍‌ ଆଫଗାନିସ୍ତାନରେ ଏକ ନୂତନ ସରକାର ଗଠନ ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି। ସରକାରୀ ଗଠନକୁ ନେଇ ନିରନ୍ତର ବୈଠକ ଜାରି ରହିଛିି। ସେପ୍ଟେମ୍ବର ୧୧(୯/୧୧)ରେ ଆମେରିକାର ଓ୍ବାଲ୍ଡ ଟ୍ରେଡ୍‌ ସେଣ୍ଟର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୨୦ ତମ ବାର୍ଷିକୀରେ ତାଲିବାନ ଏନେଇ ବଡ ଘୋଷଣା କରିବାର ସମ୍ଭାବନା ଥିବା ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ରିପୋର୍ଟ ପ୍ରକାଶିତ ହୋଇଛି। ଏହି ଦିନ ସରକାର ଗଠନ ପାଇଁ ତାଲିବାନ୍‌ ପକ୍ଷରୁ ଘୋଷଣା କରାଯାଇପାରେ। ସେପର୍ଯ୍ୟନ୍ତ ତାଲିବାନ ସରକାରରେ ସାମିଲ ହେବାକୁ ଥିବା ମନ୍ତ୍ରୀଙ୍କ ନାମ ଉପରେ ଆଲୋଚନା କରିବାକୁ ସମୟ ପାଇବ। ସରକାର ଗଠନ ସହିତ ଆମେରିକାକୁ ଏକ ସ୍ବତନ୍ତ୍ର ବାର୍ତ୍ତା ଦେବାକୁ ସଂଗଠନ ପକ୍ଷରୁ ଚେଷ୍ଟା କରାଯିବ ବୋଲି ଚର୍ଚ୍ଚା ହେଉଛି।

ନୂତନ ତାଲିବାନ ସରକାର ଗଠନକୁ ନେଇ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ସମ୍ପୂର୍ଣ୍ଣ ସକ୍ରିୟ ରହିଛି। ମୁଲ୍ଲା ହାସନ ଅଖୁନ୍ଦଙ୍କୁ ଆଫଗାନିସ୍ତାନ ସରକାରରେ ମୁଖ୍ୟ କରିବାକୁ ଆଇଏସ୍‌ଆଇ ଚାହୁଁଛି। ୨୦୦୧ ରେ ଆମେରିକାର ସୈନ୍ୟବାହିନୀ ଆସିବା ପୂର୍ବରୁ ମୁଲ୍ଲା ହାସନ ଅଖୁନ୍ଦ ତାଲିବାନ୍‌ ଶାସନରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏହା ମଧ୍ୟ ଅନୁମାନ କରାଯାଉଛି ଯେ ନିକଟରେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର କାବୁଲ ଗସ୍ତ ସମୟରେ ମୁଲ୍ଲା ହାସନ ଅଖଣ୍ଡଙ୍କ ନାମ ନେଇ ସହମତି ପ୍ରକାଶ ପାଇଛି। ଆଇଏସଆଇ ମୁଖ୍ୟ ଫୈଜ ହାମିଦ ଇତିମଧ୍ୟରେ ଇସଲାମାବାଦକୁ ମଧ୍ୟ ଫେରିଛନ୍ତି।

କାବୁଲରେ ଆଇଏସଆଇ ମୁଖ୍ୟ ହମିଦ କରଜାଇ, ଅବଦୁଲ୍ଲା ଅବଦୁଲ୍ଲା ଏବଂ ଗୁଲୁବୁଦ୍ଦିନ ହିକମୟତାରଙ୍କୁ ଭେଟିଥିଲେ। ପାକିସ୍ତାନ ଚାହୁଁଛି କରଜାଇ ଏବଂ ଅବଦୁଲ୍ଲାଙ୍କୁ ତାଲିବାନର ନୂତନ ସରକାରରେ ଅନ୍ତର୍ଭୁକ୍ତ କରାଯାଉ। ଯାହାଦ୍ୱାରା ସରକାରଙ୍କୁ ବିଶ୍ୱ ସ୍ତରରେ କିଛି ବୈଧତା ମିଳିବାର ଆଶା ରହିବ।

ସୂଚନାଯୋଗ୍ୟ, ହମିଦ କରଜାଇ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହୋଇଥିବାବେଳେ ଅବଦୁଲ୍ଲା ଅବଦୁଲ୍ଲା ଦେଶର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ। ଗୁଲୁବୁଦ୍ଦିନ ହିକମୟତାର ହେଉଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଥିଲେ।

Share