ଭାରତ ଦ୍ୱାରା ମୋଷ୍ଟ ଓ୍ବାଣ୍ଟେଡ ଘୋଷିତ ଆତଙ୍କବାଦୀଙ୍କୁ ହତ୍ୟା କଲା ତାଲିବାନ…

କାବୁଲ,୨୧।୨ : ଭାରତ ସରକାରଙ୍କ ଦ୍ୱାରା ମୋଷ୍ଟ ଓ୍ବାଣ୍ଟେଡ ଘୋଷିତ ଆତଙ୍କବାଦୀ ମଧ୍ୟରୁ ଜିହାଦି କମାଣ୍ଡର ଏଜାଜ ଅହମ୍ମଦ ଅହନଗରଙ୍କର ଆଫଗାନିସ୍ତାନରେ ମୃତ୍ୟୁ ଘଟିଛି। ଇଜାଜ ଅହମ୍ମଦ ଇସଲାମିକ ଷ୍ଟେଟ ପାଇଁ କାର୍ଯ୍ୟ କରୁଥିଲେ। ସେ କାବୁଲ ଏବଂ ଜଲାଲାବାଦରେ ଭାରତୀୟ ସମ୍ପ୍ରଦାୟ ଉପରେ ଆକ୍ରମଣ କରିଥିଲେ। ତାଙ୍କ ମୃତ୍ୟୁକୁ ନେଇ ତାଲିବାନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ, କିନ୍ତୁ ଭାରତୀୟ ସୁରକ୍ଷା ବାହିନୀ ଏବଂ ଗୁପ୍ତଚର ସଂସ୍ଥା ଦାବି କରିଛନ୍ତି ଯେ ଏଜାଜଙ୍କର ମୃତ୍ୟୁ ହୋଇଛି। ଏଥିସହିତ ଏଜାଜଙ୍କ ସମ୍ପର୍କୀୟମାନେ ମଧ୍ୟ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଜାନୁଆରୀରେ ଭାରତୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଇଜାଜଙ୍କୁ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଘୋଷଣା କରାଯାଇଥିଲା।

ସୂଚନାନୁସାରେ, ଦକ୍ଷିଣ ଆଫଗାନିସ୍ତାନର କୁନାର ଅଞ୍ଚଳରେ ତାଲିବାନ ଏବଂ ଆଇଏସ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଯେଉଁଥିରେ ଏଜାଜ ଅହମ୍ମଦଙ୍କ ମୃତ୍ୟୁ ଘଟିଥିଲା। ସେ କୁନାରରେ ଲୁଚି ରହିଥିଲେ। କଶ୍ମୀରରେ ଜନ୍ମିତ ଆତଙ୍କବାଦୀ ଏଜାଜ ଅହମ୍ମଦ ଓରଫ ଆବୁ ଉସମାନ ଅଲ-କଶ୍ମୀରଙ୍କୁ ସରକାରୀ ଭାବେ ଆତଙ୍କବାଦୀ ଘୋଷିତ କରାଯାଇଥିଲା। ଏକ ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏଜାଜଙ୍କୁ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ୧୯୬୭ ଅନୁଯାୟୀ ଆତଙ୍କବାଦୀ ଭାବରେ ଘୋଷିତ କରିଥିଲେ।

୧୯୭୪ ମସିହାରେ ଶ୍ରୀନଗରରେ ଜନ୍ମଗ୍ରହଣ କରିଥିବା ଏଜାଜ ଅହମ୍ମଦ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଜମ୍ମୁ-କଶ୍ମୀରରେ ଜଣେ ଆତଙ୍କବାଦୀ ଥିଲେ। ଏଜାଜ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ଏକ ସମନ୍ବୟ ଚ୍ୟାନେଲ ସୃଷ୍ଟି କରି ଦୀର୍ଘ ଦିନ ଧରି ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକାଳପ ଜାରି ରଖିଥିଲେ।

Share