ଆଫଗାନ ମହିଳାଙ୍କ ପାଇଁ ତାଲିବାନର ଆଉ ଏକ ନୂଆ ନିୟମ

କାବୁଲ,୨୮ ।୧୨: ଆଫଗାନିସ୍ତାନରେ ନିଜର ସ୍ଥିତି ଜାହିର କରିଥିବା ତାଲିବାନ ଆଫଗାନ ମହିଳାଙ୍କ ପାଇଁ ଆଉ ଏକ ନିୟମ ଆଣିଛି । ଏହା ପୂର୍ବରୁ ମହିଳାଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଇଥିବା ତାଲିବାନ ଏଥର ମହିଳାଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି । ତାଲିବାନର ‘ଉତ୍ତମତା ବିସ୍ତାର କରିବା ଓ ଖରାପକୁ ରୋକିବା’ ମନ୍ତ୍ରଣାଳୟ ଦ୍ୱାରା ଏହା ଜାରି କରାଯାଇଛି । ଏଥିରେ କୁହାଯାଇଛି କି ଏଣିକି ମହିଳାମାନେ ବିନା ପୁରୁଷରେ ଦୂର ଯାତ୍ରା କରିପାରିବେ ନାହିଁ । ସେମାନଙ୍କୁ ଏକେଲା ଯାତ୍ରା କରିବାର ଅନୁମତି ମିଳିବ ନାହିଁ । ଦୂର ସ୍ଥାନକୁ ଯାତ୍ରା କରିବାକୁ ହେଲେ ମହିଳାଙ୍କ ସହ ନିକଟ ସମ୍ପର୍କୀୟ ଜଣେ ପୁରୁଷ ରହିବା ନିହାତି ଜରୁରୀ । କିନ୍ତୁ ଆଖପାଖକୁ ମହିଳାମାନେ ଏକେଲା ଯାତ୍ରା କରିପାରିବେ ।
ତାଲିବାନ ସରକାରଙ୍କ ପ୍ରବକ୍ତା ସଦିକ ଅକିଫ ମୁହାଜିର କହିଛନ୍ତି ଯେଉଁ ମହିଳାମାନେ ୭୨ କିଲୋମିଟରରୁ ଅଧିକ ବାଟ ଯାତ୍ରା କରିବାକୁ ଚାହୁଁଥିବେ ସେମାନଙ୍କ ସହ ଜଣେ ସମ୍ପର୍କୀୟ ପୁରୁଷ ରହିବା ଜରୁରୀ । ଏହାପରେ ତାଙ୍କୁ ଯାତ୍ରା କରିବାକୁ ଅନୁମତି ମିଳିବ । ତେଣୁ ମହିଳାଙ୍କ ସହ ପୁରୁଷ ରହିବା ଅନିର୍ବାଜ୍ୟ । ତାଲିବାନ ସରକାରଙ୍କ ଏହି ନୂଆ ନିୟମକୁ ନେଇ ମାନବାଧିକାର କର୍ମୀ ଆପତ୍ତି ଉଠାଇଛନ୍ତି । ସେମାନଙ୍କ କହିବା କଥା ହେଲା ମହିଳାଙ୍କୁ ବନ୍ଦି କରି ରଖିବାର ଏହା ଆଉ ଏକ ନିୟମ । ଏହାସହ ଗାଡି ମାଲିକଙ୍କୁ କୁହାଯାଇଛି କି ବିନା ହିଜାବ ବାଲା ମହିଳାଙ୍କୁ ଗାଡିରେ ବସିବାକୁ ଅନୁମତି ଦିଆଯିବ ନାହିଁ ।

Share