ସୈନ୍ୟଙ୍କ କଟା ମୁଣ୍ଡ ଧରି ନାଚିଲେ

କାବୁଲ, ୧୩।୯: ଆଫଗାନିସ୍ତାନରେ ସରକାରକୁ ଫେରିବା ପରେ ତାଲିବାନ୍‌ ପୁଣି ଥରେ ତା’ର ବର୍ବର ଚେହେରା ଦେଖାଇଛି। ଆଫଗାନ୍‌ ସୈନ୍ୟଙ୍କ କଟା ମୁଣ୍ଡ ଧରି ତାଲିବାନ୍‌ ଆତଙ୍କବାଦୀ ଖୁସିରେ ନାଚୁଛନ୍ତି, ଯାହାର ଭିଡିଓ ସାମ୍‌ନାକୁ ଆସିଛି। ଓ୍ବାଶିଂଟନ୍‌ ଏକ୍‌ଜାମିନରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ତାଲିବାନ୍‌ର ଏକ ପ୍ରାଇଭେଟ ଚାଟ୍‌ ଗ୍ରୁପ୍‌ରେ ୩୬ ସେକେଣ୍ଡର ଏହି ଭିଡିଓ ପୋଷ୍ଟ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଛି, ଆଫଗାନ୍‌ ସୈନ୍ୟମାନେ ଭୂମିରେ ଶୋଇଥିବାବଳେ ଚାରିପଟେ ୭ ତାଲିବାନ୍‌ ଆତଙ୍କବାଦୀ ସେମାନଙ୍କୁ ଘେରି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଏହି ବର୍ବର ଦୃଶ୍ୟର ଭିଡିଓ ଉତ୍ତୋଳନ କରୁଛନ୍ତି। ୫ ଜଣ ହାତରେ ବନ୍ଧୁକ ଧରିଥିବାବେଳେ ଷଷ୍ଠ ବ୍ୟକ୍ତି ଜଣକ ହାତରେ ଦୁଇଟି ଛୁରି ଧରିଛନ୍ତି। ଆତଙ୍କବାଦୀମାନେ ଆଫଗାନ୍‌ ସୈନ୍ୟଙ୍କ ଚୁଟି ଧରି କଟା ମୁଣ୍ଡକୁ ଉପରକୁ ଉଠାଇ ଖୁସିରେ ନାଚୁଛନ୍ତି। ତାଲିବାନ୍‌ ସୁପ୍ରିମଲିଡର ମୁଲ୍ଲା ହିବାତୁଲ୍ଲା ଅଖୁନ୍ଦଜାଦା ଅମର ରୁହନ୍ତୁ ବୋଲି ନାରା ମଧ୍ୟ ଦେଉଛନ୍ତି। ଭିଡିଓ ଶେଷରେ ଗ୍ରୁପ୍‌ର ମୁଖ୍ୟ ଆଫଗାନ୍‌ ସୈନ୍ୟଙ୍କ ଉପରେ ଗୁଳି ଚଲାଇବାକୁ ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳିଛି। ସେ ନିଜ ଆଖିରେ ଏହି ଗୁଳିକାଣ୍ଡ ଦେଖିବାକୁ ଚାହୁଁଥିବା କହୁଛନ୍ତି।

Share