ତାଲିବାନର ଅସଲ ଚେହେରା: ପୋଷାକ ଖୋଲି ଖବରଦାତାଙ୍କୁ ମରଣାନ୍ତକ ଆକ୍ରମଣ

କାବୁଲ,୯ ।୯: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଏବେ ସେଠାରେ ସରକାର ମଧ୍ୟ ଗଠନ କରାଯାଇଛି । ତାଲିବାନ ଶାସନରେ ଭୟଭୀତ ହୋଇପଡିଥିବା ଆଫଗାନବାସୀ କେତେକାଂଶରେ ଦେଶ ଛାଡିଥିବା ବେଳେ ଯେଉଁମାନେ ସେଠାରେ ରହି ଯାଇଛନ୍ତି ସେମାନଙ୍କୁ ତାଲିବାନର କଠୋର ନିୟମକୁ ମାନିବାକୁ ପଡୁଛି । ତେବେ ତାଲିବାନକୁ ସମର୍ଥନ କରୁଥିବା ପାକିସ୍ତାନକୁ ବିରୋଧ କରି ମହିଳାମାନେ ରାସ୍ତାକୁ ଓହ୍ଲାଇଥିଲେ । ପାକିସ୍ତାନ ମୁର୍ଦ୍ଦାବାଦ ରାଲି ବାହାର କରି ରାତା ରାତି ରାସ୍ତାକୁ ଚାଲି ଆସିଥିଲେ ମହିଳା । ଆଉ ଏହି ବିରୋଧ ପ୍ରଦର୍ଶନର ଖରବ ସଂଗ୍ରହ କରିବା ପାଇଁ ସେଠାରେ ପହଞ୍ଚିଥିବା କବରଦାତାଙ୍କୁ ଅତି ନିର୍ମମ ଭାବେ ପିଟିଛି ତାଲିବାନ । ମିଳିଥିବା ସୂଚନା ଅନୁଯାୟୀ ଖବର ସଂଗ୍ରହ କରିବାକୁ ଯାଇଥିବା ଖବରଦାତାଙ୍କୁ ଗୋଟିଏ ଘରେ ବନ୍ଦି କରି ରଖିବା ପରେ ତାଙ୍କୁ ନିର୍ମମ ଭାବେ ପୋଷାକ ଖୋଲି ପିଟିଛି ତାଲିବାନ । ଆଉ ଏହା ପରର କିଛି ଫଟୋ ମଧ୍ୟ ତାଲିବାନ ଦ୍ୱାରା ଭାଇରାଲ ହୋଇଥିବା କୁହାଯାଉଛି । ଲସ୍ ଆଞ୍ଜେଲସ୍ ଟାଇମ୍ସରେ ପ୍ରକାଶିତ ଏହି ଫଟୋକୁ ଦେଖିଲେ ତାଲିବାନର ଅସଲ ଚେହେରା ସ୍ପଷ୍ଟ ବାରି ହୋଇ ପଡୁଛି । କେବଳ ଖବରଦାତା ନୁହେଁ ବିରୋଧ ପ୍ରଦର୍ଶକ କରୁଥିବା ମହିଳାଙ୍କୁ ମଧ୍ୟ ଖୁବ୍ ପିଟିଛି ତାଲିବାନ । ଏବେ ନୂଆ ସରକାର ଗଠନ ହେବା ପରେ ନିୟମ କରାଯାଇଛି କି ସରକାରଙ୍କ ବିନା ଅନୁମତିରେ କୌଣସି ପ୍ରଦର୍ଶନ କରାଯାଇ ପାରିବ ନାହିଁ । ଯଦି କେହି ଏହି ନିୟମ ବିରୋଧରେ କାମ କଲେ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତାଲିବାନ ମହିଳାଙ୍କୁ ପିଟୁଥିବାର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Share