ଘର ଛାଡ଼ିବାକୁ କହୁଛି ତାଲିବାନ୍‌

କାନ୍ଦାହାର, ୧୫ା୯: ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଦାହାରରେ ଥିବା ଏକ ଆବାସିକ ଆର୍ମି କଲୋନିରେ ଲୋକଙ୍କୁ ଘର ଛାଡ଼ିବାକୁ ତାଲିବାନ୍‌ ନିର୍ଦ୍ଦେଶ ଦେଇଛି। ଏପରିକି ନିଜ ଘରୁ ସେମାନେ କୌଣସି ଜିନିଷପତ୍ର ନ ନେବାକୁ ମଧ୍ୟ ଧମକାଇଛି। ଏହାକୁ ବିରୋଧ କରି ମଙ୍ଗଳବାର ଶହ ଶହ ସଂଖ୍ୟାରେ କାନ୍ଦାହାରବାସୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ଥାନୀୟ ମିଡିଆ ପକ୍ଷରୁ ବିକ୍ଷୋଭର ଭିଡିଓ ଓ ଫଟୋ ଜାରି କରାଯାଇଛି।
କଲୋନିରେ ରହୁଥିବା ପ୍ରାୟ ୩ ହଜାର ପରିବାର ତୁରନ୍ତ ସେମାନଙ୍କ ଘର ଛାଡ଼ିବାକୁ କହିବା ପରେ କାନ୍ଦାହାର ରାଜଭବନ ସମ୍ମୁଖରେ ଲୋକେ ରୁଣ୍ଡ ହୋଇ ରାସ୍ତା ଅବରୋଧ କରିଛନ୍ତି। ସେଠାରେ ଅବସରପ୍ରାପ୍ତ ସେନା ଅଧିକାରୀ ଏବଂ ଆଫଗାନ୍‌ ସୁରକ୍ଷାବଳର ସଦସ୍ୟଙ୍କ ପରିବାର ରହୁଥିବାରୁ ତାଲିବାନ୍‌ ଏପରି କରିଥିବା ଅଭିଯୋଗ ହୋଇଛି। ପ୍ରାୟ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେମାନେ ସେଠାରେ ବାସ କରୁଥିବାବେଳେ ୩ ଦିନ ମଧ୍ୟରେ ଉକ୍ତ ଜାଗା ଛାଡ଼ିବାକୁ ଧମକ ମିଳିଛି। ଏପରି ଘଟଣାର ତଦନ୍ତ କରାଯିବ ବୋଲି ତାଲିବାନ୍‌ ଲିଡର କହିଥିବାବେଳେ ବିକ୍ଷୋଭ ପୂର୍ବରୁ ଲୋକେ ଅନୁମତି ନିଅନ୍ତୁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆନ୍ଦୋଳନରେ କୌଣସି ହିଂସାକାଣ୍ଡ ବାବଦରେ ରିପୋର୍ଟ ପ୍ରକାଶ ପାଇନାହିଁ।

Share