ତାଲିବାନ୍‌ ଖୋଜୁଛି ରତ୍ନ ଭଣ୍ଡାର…

କାବୁଲ,୧୮।୯: ଆଫାଗାନିସ୍ତାନରେ କ୍ଷମତା ଦଖଲ ପରେ ଏବେ ତାଲିବାନ ପ୍ରଥମ ଶତାବ୍ଦୀର କୁଶାଣ ସାମ୍ରାଜ୍ୟର ବିରାଟ ରତ୍ନ ଭଣ୍ଡାର ଖୋଜିବା ଆରମ୍ଭ କରିଛି। ୪ ୦ ବର୍ଷ ତଳେ ଉତ୍ତର ଜଓ୍ବାଜଜାନ୍‌ ପ୍ରଦେଶର ଶେରବର୍ଘନ ଜିଲାର ତେଲା ତାପା ଅଞ୍ଚଳରେ ଏହାର ସନ୍ଧାନ ମିଳିଥିଲା। ଏଥିରେ ୨୧,୧୪୫ଟି ସୁନା ଖଣ୍ଡ ରହିଥିଲା। କୁଶାଣ ସାମ୍ରାଜ୍ୟ ସମୟରେ ବାକ୍ଟ୍ରିଆନ୍‌ ଅଞ୍ଚଳରେ ୟୁଇଝିଙ୍କ ଦ୍ୱାରା ଏହି ରତ୍ନ ଭଣ୍ଡାର ସ୍ଥାପନ କରାଯାଇଥିଲା। ଏବେ ଏହାର ସନ୍ଧାନେ ଜାରି ରହିଥିବା ସଂସ୍କୃତି କମିଶନ ଅହମ୍ମଦୁଲା ଓ୍ବାସିକ୍‌ ସୂଚନା ଦେଇଛନ୍ତି। ସୂଚନା ଏବଂ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଚିନ୍ତା ପ୍ରକଟ କରାଯାଇଛି।

୨୦୨୧ ଫେବୃୟାରୀରେ ଏହି ରତ୍ନ ଭଣ୍ଡାରକୁ ସର୍ବସାଧାରଣଙ୍କ ପ୍ରଦର୍ଶନ ପାଇଁ ରାଷ୍ଟ୍ରପତି ଭବନରେ ରଖାଯାଇଥିଲା। ତେବେ ରାଷ୍ଟ୍ରପତି ଅଶରଫ ଘନିଙ୍କ ସରକାରର ପତନ ପରେ ରତ୍ନ ଭଣ୍ଡାରର ସୁରକ୍ଷା ନେଇ ନାନା ଆଶଙ୍କା ପ୍ରକାଶ ପାଉଥିବା ଓ୍ବାସିକ୍‌ କହିଛନ୍ତି।

Share