ଭିତ୍ତିଭୂମି ସରଞ୍ଜାମ ଉତ୍ପାଦନ କ୍ଷେତ୍ରରେ ଚାଇନାକୁ ଟକ୍କର

ନୂଆଦିଲ୍ଲୀ,୨୬ା୧୧: ନିର୍ମାଣ ଓ ଭିତ୍ତିଭୂମି କ୍ଷେତ୍ରରେ ଉପଯୋଗ ହେଉଥିବା ଭାରି ଯନ୍ତ୍ରପାତି ଉତ୍ପାଦନ ଦିଗରେ ଚାଇନାକୁ ଟକ୍କରଦେବା ପାଇଁ କେନ୍ଦ୍ର କ୍ୟାବିନେଟ ଏମ୍‌ଏସ୍‌ଏମ୍‌ଇ ପାଇଁ ୧୧,୦୦୦ କୋଟି ଟଙ୍କାର ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା ମାଧ୍ୟମରେ ନିର୍ମାଣ ଓ ଭିତ୍ତିଭୂମି ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରାଯିବ।
୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାୟ ୯୭,୫୦୦ କୋଟି ଟଙ୍କାର ବଜାର ଆକାର ସହିତ ଭାରତର ନିର୍ମାଣ ଓ ଭିତ୍ତିଭୂମି ଉପକରଣ (ସିଆଇଇ) କ୍ଷେତ୍ର ବର୍ତ୍ତମାନ ଚାଇନା ଏବଂ ଆମେରିକା ପରେ ବିଶ୍ୱର ତୃତୀୟ ବୃହତ୍ତମ ବଜାର ଭାବେ ଉଭା ହୋଇଛି। ଭିତ୍ତିଭୂମି (ସଡ଼କ ଓ ବନ୍ଦର) ଏବଂ ଗୃହ ନିର୍ମାଣ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଯୋଗୁ ୨୦୨୯-୩୦ ଆର୍ଥିକ ବର୍ଷ ସୁଦ୍ଧା ଏହି ଶିଳ୍ପର ବଜାର ଆକାର ଦୁଇଗୁଣରୁ ଅଧିକ ବୃଦ୍ଧି ପାଇ ପ୍ରାୟ ୨,୨୮,୧୦୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ‘ଶପ୍‌-ଟୁ-ସୋର୍‌ କ୍ରେନ୍‌ , ଟନେଲ ବୋରିଂ ମେସିନ, ହାଇଡ୍ରୋଲିକ ଏକ୍ସକାଭେଟର୍‌ ଏବଂ ଅଫ-ହାଇୱେ ଟ୍ରକ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ କ୍ରିଟିକାଲ ଯନ୍ତ୍ରପାତିର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ରହିଛି। ଏହାସହ ଦେଶରେ ଏକ ଅତ୍ୟାଧୁନିକ ସ୍ବତନ୍ତ୍ର ସିଆଇଇ ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ଏହି ଯୋଜନାରେ ବ୍ୟବସ୍ଥା ରହିଛି।
ଏହି ଯୋଜନାର ଅବଧି ୨୦୨୬-୨୭ ଆର୍ଥିକ ବର୍ଷରୁ ଆରମ୍ଭ ହୋଇ ୮ ବର୍ଷ ପର୍ଯ୍ୟନ୍ତ ରହିବ। ଏଥିରେ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ୨ ବର୍ଷର ପ୍ରସ୍ତୁତି ସମୟ ସହ ୫ବର୍ଷର ପ୍ରୋତ୍ସାହନ ରାଶି ପ୍ରଦାନ ସମୟ ୨୦୨୮-୨୯ ରୁ ୨୦୩୨-୩୩ ପର୍ଯ୍ୟନ୍ତ ରହିବ ବୋଲି କୁହାଯାଇଛି। ଭାରତରେ ଏବେ ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ପ୍ରକଳ୍ପ ନିର୍ମାଣ କରାଯାଉଥିଲାବେଳେ ଏଥିପାଇଁ ଆବଶ୍ୟକ ହେଉଥିବା ଅତ୍ୟାଧୁନିକ ଯନ୍ତ୍ରପାତି ଓ ସରଞ୍ଜାମ ପାଇଁ ଚାଇନା ଉପରେ ନିର୍ଭର କରିବାକୁ ପଡ଼ୁଥିଲା। କିନ୍ତୁ ଭାରତକୁ ଏସବୁ ସରଞ୍ଜାମ ଯୋଗାଣ କ୍ଷେତ୍ରରେ ଚାଇନା ପକ୍ଷରୁ ରୋକ୍‌ ଲଗାଯାଇଥିବାରୁ କେନ୍ଦ୍ର ସରକାର ଏହି ଯୋଜନାକୁ ପ୍ରୋତ୍ସାହନ ଦେଇଛନ୍ତି।

Dharitri – Odisha’s No.1 Odia Daily

Share