ଉମରକୋଟ,୨୪।୭(ସନ୍ତୋଷ ସତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହରର କୋଣ୍ଡାଗା ରୋଡ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ)ର ଏକ ଏଟିଏମ୍କୁ ଦୁର୍ବୃତ୍ତମାନେ ଗ୍ୟାସ୍ କଟରରେ କାଟି ଲୁଟ୍ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ରାତିର ଅନ୍ଧାରର ସୁଯୋଗ ନେଇ ଏଟିଏମ୍ରେ ପ୍ରବେଶ କରି ଗ୍ୟାସ କଟର ସାହାଯ୍ୟରେ ମେଶିନ୍ କାଟି ନଗଦ ଟଙ୍କା ନେଇ ଫେରାର୍ ହୋଇଯାଇଛନ୍ତି । ସକାଳେ ସ୍ଥାନୀୟ ଲୋକ ଏଟିଏମ୍ର ଅବସ୍ଥା ଦେଖି ପୋଲିସକୁ ଖବର ଦେଇଥିଲେ। ଖବରପାଇ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହଯୋଗରେ ଏଟିଏମ୍ରୁ କେତେ ପରିମାଣର ଟଙ୍କା ଲୁଟ୍ ହୋଇଛି, ତାହାର ହିସାବ କରାଯାଉଛି। ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଇଥିବା ବେଳେ ନିକଟସ୍ଥ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଏହି ଲୁଟ୍ ପଛରେ ଏକ ସଂଗଠିତ ଗ୍ୟାଙ୍ଗର ହାତ ଥାଇପାରେ ବୋଲି ଅନୁମାନ କରାଯାଉଛି। ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
ଏହି ଘଟଣା ପରେ ଅଞ୍ଚଳରେ ଥିବା ଅନ୍ୟାନ୍ୟ ଏଟିଏମ୍ର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଘଟଣାକୁ ଗୁରୁତ୍ୱ ନେଇ ନବରଙ୍ଗପୁର SP ପାର୍ଥ କାଶ୍ୟପ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ କରୁଛନ୍ତି। ଏହା ସହ ମୋବାଇଲ ଫୋରେନସିକ ଟିମ ମଧ୍ୟ ତଦନ୍ତ କରୁଛି।