ଲୋକଙ୍କ ବଦଳରେ ମୋ ଜୀବନ ନିଅ

ନାପିତାଓ, ୧୦ା୩: ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କ ନିର୍ବାଚିତ ସରକାରକୁ ମ୍ୟାନ୍‌ମାରରୁ ହଟାଇ ସେନା କ୍ଷମତା ମାଡ଼ିବସିବା ପରଠାରୁ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି। ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ଶକ୍ତିଶାଳୀ ସେନାର ନ୍ୟାୟ ବହିର୍ଭୂତ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବାବେଳେ ସାହସିକତା ଦେଖାଇଛନ୍ତି ଜଣେ ନନ୍‌।
ଫେବୃୟାରୀ ୧ରେ ସ୍ୟୁ ଚୀ ସରକାରଙ୍କ କ୍ଷମତା ଅପହରଣ କରିବା ପରଠାରୁ ମ୍ୟାନ୍‌ମାରରେ ସେନା ଓ ପୋଲିସର ବର୍ବରତା ଲୋକଙ୍କ ଜୀବନ ନେଇଚାଲିଛି। ମଙ୍ଗଳବାର ସୁଦ୍ଧା ୬୦ରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କ ଜୀବନ ଯାଇଛି। ଏପରି ସ୍ଥିତିରେ ସେନାର ନରସଂହାର ଅଟକାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ସିଷ୍ଟର ଆନ୍‌ ରୋଜ୍‌ ନୁ ତଙ୍ଗ୍‌। ସେ ଉତ୍ତର ମ୍ୟାନମାର ରାସ୍ତାରେ ଜଗି ରହିଥିବା ସେନା ଆଗରେ ଆଣ୍ଠେଇ ପଡ଼ି ଲୋକଙ୍କ ଉପରକୁ ଗୁଳିଚାଳନା ନ କରିବାକୁ ଅନୁରୋଧ କରିଛନ୍ତି। ସେମାନଙ୍କୁ ମାରିବା ପୂର୍ବରୁ ପ୍ରଥମେ ତାଙ୍କୁ ହତ୍ୟା କରିବାକୁ ହେବ ବୋଲି ସେ ସେନାକୁ କହିଥିଲେ। ଏହାର ଏକ ଫଟୋ ସୋସିଆଲ ମିଡିଆରେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ନନ୍‌ ଜଣକ ବେଶ ସାହସିକତା ପ୍ରଦର୍ଶନ କରିଛନ୍ତି ବୋଲି ମତ ପ୍ରକାଶ ପାଇଛି। କ୍ୟାଥୋଲିକ୍‌ ନନ୍‌ ନୁ ତଙ୍ଗ୍‌ ଧଳା ରଙ୍ଗର କୁର୍ତ୍ତି ପିନ୍ଧି ଦୁଇ ହାତ ଖୋଲାକରି ସାମରିକ ବଳ ଆଗରେ ଆଣ୍ଠୁମାଡ଼ି ବସିଥିବା ଫଟୋରେ ଦେଖିବାକୁ ମିଳିଛି। ବିକ୍ଷୋଭକାରୀଙ୍କୁ ହଟାଇବାକୁ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ ବୋଲି ସେନା କହିବା ସହ ନନ୍‌ଙ୍କୁ ସେଠାରୁ ଚାଲିଯିବାକୁ ଅନୁରୋଧ କରିଥିଲା। କିନ୍ତୁ ନନ୍‌ ସେମିତି ବସି ରହି ଗୁଳିଚାଳନା ବନ୍ଦ କରିବାକୁ କହିଚାଲିଥିଲେ। ହେଲେ ମ୍ୟାନମାର ସେନା ଏହାର କିଛି ସମୟ ପରେ ନନ୍‌ଙ୍କ ପଛରେ ଥିବା ଆନ୍ଦୋଳନକାରୀଙ୍କ ଉପରେ ପୁଣି ଗୁଳିଚାଳନା କରିଥିଲେ। ମ୍ୟାନ୍‌ମାରବାସୀ ବିପଦରେ ପଡ଼ିଛନ୍ତି। ଏହା ତାଙ୍କୁ ବେଶ୍‌ କଷ୍ଟ ଦେଉଛି। ଏପରି ସ୍ଥିତିରେ ସେ କିଛି ନ କରି ରହିପାରିବେନି ବୋଲି ନୁ ତଙ୍ଗ୍‌ କହିଛନ୍ତି। ଏଥିପୂର୍ବରୁ ଫେବୃୟାରୀ ୨୮ରେ ମଧ୍ୟ ନୁ ତଙ୍ଗ୍‌ ମ୍ୟାନମାର ସୈନ୍ୟଙ୍କ ନିକଟକୁ ଚାଲି ଚାଲି ଯିବା ସହ ସେଠାରେ ଆଣ୍ଠେଇ ପଡ଼ି ଲୋକଙ୍କୁ ଦୟା କରିବାକୁ ହାତ ଯୋଡ଼ି ଅନୁରୋଧ କରିଥିଲେ।

Share