କଟ୍‌ନୀ ହେଲେ କାର୍ଯ୍ୟାନୁଷ୍ଠାନ

ପଦ୍ମପୁର, ୨୬ା୫(ଡି.ଏନ.ଏ.): ରବିରତୁରେ ବରଗଡ଼ ଜିଲା ପଦ୍ମପୁର ଆରଏମସି ତତ୍ତ୍ୱାବଧାନରେ ୬ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମେ ୧୨ରୁ ମଣ୍ଡି ଖୋଲି ୨ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ ହୋଇ ସାରିଲାଣି। ପୂର୍ବ ବର୍ଷ ପରି ବସ୍ତା ସମସ୍ୟା ଏବଂ କଟନୀ ଛଟନୀ ଫଳରେ ଚାଷୀ ମାନେ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନିରୁତ୍ସାହିତ ହେଉଥିଲେ। ରାଜ ବୋଡାସମ୍ବର କୃଷକ ସଙ୍ଗଠନ ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ଲିଖିତ ଅନୁରୋଧ କରିଥିଲେ। ସଂଗଠନ ଅନୁରୋଧକ୍ରମେ ଜିଲାପାଳଙ୍କ ନିର୍ଦ୍ଦେଶରେ ଗୁରୁବାର ପଦ୍ମପୁର ଉପଜିଲାପାଳଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ପ୍ରଶାସନ, ମିଲର୍ସ ଏବଂ ରାଜବୋଡାସମ୍ବର କୃଷକ ସଙ୍ଗଠନ ପ୍ରତିନିଧିଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ପ୍ରଶାସନ ସମ୍ମୁଖରେ କୃଷକ ସଙ୍ଗଠନ କ୍ୱାଲିଟି ନାଁରେ ୨ରୁ ୫ କେଜି କଟନୀ କରିବା ଏବଂ ବସ୍ତା ଚାଷୀଙ୍କୁ ନ ଫେରାଇବା ଅଭିଯୋଗ ରଖିଥିଲା। ପ୍ରଶାସନ ପକ୍ଷରୁ ମିଲର୍ସମାନଙ୍କୁ ଧାନ କିଣା କେନ୍ଦ୍ରରେ ବସ୍ତା ରଖିବା ଏବଂ ଧାନ ବିକ୍ରି ପରେ ଚାଷୀଙ୍କୁ ବସ୍ତା ଫେରସ୍ତ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସଫା ଏବଂ ଶୁଖିଲା ଧାନ ମଣ୍ଡିକୁ ଆଣିବା ପାଇଁ ଚାଷୀମାନଙ୍କୁ କୁହାଯାଇଛି। ଯଦି କୌଣସି ମଣ୍ଡି ରେ ଏଫଏକ୍ୟୁ ଧାନ କଟନୀ କରାଯାଏ ତୁରନ୍ତ ଲିଖିତ ଅଭିଯୋଗ କରିବାକୁ ଉପଜିଲାପାଳ ପ୍ରକାଶ କରିଥିଲେ। ଆଲୋଚନା ସକରାତ୍ମକ ହୋଇଥିବା କୃଷକ ସଂଗଠନ ପକ୍ଷରୁ କୁହାଯାଇଛି। ଉପଜିଲାପାଳ ସଦକର କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପଦ୍ମପୁର ଏଆରସିଏସ୍‌, ଯୋଗାଣ ବିଭାଗ ଅଧିକାରୀ, ପଦ୍ମପୁର ମଣ୍ଡି କର୍ମଚାରୀ, ରାଇସ୍‌ ମିଲ୍‌ ପ୍ରତିନିଧି ଉପସ୍ଥିତ ଥିଲେ। ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ବାଞ୍ଛାନିଧି ନାୟକ, ଅଶୋକ ସାହୁ, ଅଜିତ ଶତପଥୀ, ପଞ୍ଚାନନ ସାହୁ, ରୋହିତ ପଧାନ, ପ୍ରମୋଦ ରାୟ, ଅରବିନ୍ଦ ପଣ୍ଡା, ସରୋଜ ସାହୁ, ଲିଙ୍ଗରାଜ ପଧାନ, ପ୍ରଭାତ ସାହୁଙ୍କ ସହିତ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ସୋହେଲା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।