Posted inଫୁରସତ

ଏଥର ବୁଲିଯାଆନ୍ତୁ: କଓ୍ବେଲାଦେଓ ଜାତୀୟ ଉଦ୍ୟାନ

ରାଜସ୍ଥାନର ଭରତପୁରରେ ଥିବା ଏହି ଅଭୟାରଣ୍ୟଟି ହେଉଛି ପକ୍ଷୀପ୍ରେମୀଙ୍କ ପାଇଁ ଏକ ସ୍ବର୍ଗୀୟ ସ୍ଥାନ। କାରଣ ଏଠାରେ ପ୍ରାୟତଃ ୨୩୦ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥାନ୍ତି…

କଓ୍ବେଲାଦେଓ ଜାତୀୟ ଉଦ୍ୟାନ ବା କଓ୍ବେଲାଦେଓ ଘାନା ଜାତୀୟ ଉଦ୍ୟାନ ରାଜସ୍ଥାନର ଭରତପୁରସ୍ଥିତ ଏକ ଲୋକପ୍ରିୟ ପକ୍ଷୀ ଅଭୟାରଣ୍ୟ ଭାବେ ଜଣାଶୁଣା। ପୂର୍ବରୁ ଏହା ଭରତପୁର ପକ୍ଷୀ ବିହାର ନାମରେ ପରିଚିତ ଥିଲା। କ୍ରମେ ସ୍ଥାନୀୟ ଏକ ଶୈବପୀଠର ନାମାନୁସାରେ ଏହି ଅଭୟାରଣ୍ୟର ନାମ କଓ୍ବେଲାଦେଓ ହେଲା। କୁହାଯାଏ, ଏଠାରେ ପ୍ରାୟ ୨୩୦ ପ୍ରଜାତିର ପକ୍ଷୀ ଦେଖାଯାଇଥାନ୍ତି। ଖାସ୍‌କରି ଶୀତଦିନେ ବହୁ ସଂଖ୍ୟାରେ ଭ୍ରମଣକାରୀ ପକ୍ଷୀ ଏଠାକୁ ଉଡ଼ି ଆସିଥାନ୍ତି। ସେଥିପାଇଁ ଉକ୍ତ ସ୍ଥାନଟିକୁ ଏକ ବଡ଼ ପର୍ଯ୍ୟଟନସ୍ଥଳୀ ଭାବେ ଗଣନା କରାଯାଇଥାଏ।

ଇତିହାସ
ଆଜକୁ ପ୍ରାୟ ୨୫୦ ବର୍ଷ ପୂର୍ବେ ଏହି ସ୍ଥାନକୁ ଠାବ କରାଯାଇଥିବା ସୂଚନା ରହିଛି। ଏଠାରେ ବହୁ ସଂଖ୍ୟାରେ ପକ୍ଷୀ ଦେଖାଯାଉଥିବା ଯୋଗୁ ଏହାକୁ ଏକ ପକ୍ଷୀ ଅଭୟାରଣ୍ୟର ମାନ୍ୟତା ଦେବା ପାଇଁ ପ୍ରଥମେ ଯୋଜନା ହୋଇଥିଲା। ତେବେ ୧୯୭୧ରେ ଏହି ସ୍ଥାନକୁ ଏକ ସୁରକ୍ଷିତ ଅଭୟାରଣ୍ୟ ଭାବେ ଘୋଷଣା କରାଯିବା ସହ ୧୯୮୨ ମସିହାରେ ଏହାକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଥିଲା। ସେହିପରି ୧୯୮୫ରେ ଏହି ଅଭୟାରଣ୍ୟକୁ ଓ୍ବାଲର୍‌ଡ ହେରିଟେଜ୍‌ ସାଇଟ୍‌ ଭାବେ ଘୋଷଣା କରାଯାଇଥିଲା।

କ’ଣ ଦେଖିବେ:
ପକ୍ଷୀଙ୍କ ସ୍ବର୍ଗ କୁହାଯାଉଥିବା କଓ୍ବେଲାଦେଓରେ ବର୍ଷକ ବାରମାସ ପ୍ରାୟ ୨୩୦ ପ୍ରଜାତିର ପକ୍ଷୀ ଦେଖାଯାଇଥାନ୍ତି। ଆଉ ଶୀତଦିନ ହେଲେ ଦେଶବିଦେଶରୁ ଆହୁରି ଅନେକ ପକ୍ଷୀ ଏଠାକୁ ଉଡ଼ିଆସିଥାନ୍ତି। ସେତେବେଳେ ଏଠାରେ ପ୍ରାୟ ୩୭୦ ପ୍ରଜାତିର ପକ୍ଷୀ ଦେଖାଯାଇଥାନ୍ତି। ମୁଖ୍ୟତଃ ଏଠାରେ ଦେଖିବାକୁ ମିଳୁଥିବା ପକ୍ଷୀଙ୍କ ଭିତରେ ବଗ ଜାତୀୟ ବିଭିନ୍ନ ପକ୍ଷୀ, ପାଣିକୁଆ ତଥା ବତକଜାତୀୟ ପକ୍ଷୀ ଇତ୍ୟାଦି ଅନ୍ୟତମ। ତା’ଛଡ଼ା ଗଡ଼ଓ୍ବାଲ୍‌, ସୋଭେଲର୍‌, କମନ୍‌ ଟେଲ୍‌, କଟନ୍‌ ଟେଲ୍‌, ଟଫ୍ଡ ଡକ୍‌, ନବ୍‌-ବିଲ୍ଡ ଡକ୍‌, ଲିଟିଲ୍‌ କର୍ମୋରାଣ୍ଟ, ଗ୍ରେଟ୍‌ କର୍ମୋରାଣ୍ଟ, ଇଣ୍ଡିଆନ୍‌ ସାଗ୍‌, ରଫ୍‌, ପେଣ୍ଟେଡ୍‌ ଷ୍ଟର୍କ୍‌, ହ୍ବାଇଟ୍‌ ସ୍ପୁନ୍‌ବିଲ୍‌, ଏସିଆନ୍‌ ଓପେନ୍‌-ବିଲ୍ଡ ଷ୍ଟର୍କ, ଓରିଏଣ୍ଟାଲ୍‌ ଇବିସ୍‌, ଡାର୍ଟର୍‌, କମନ୍‌ ସ୍ୟାଣ୍ଡପାଇପର୍‌, ଉଡ୍‌ ସ୍ୟାଣ୍ଡପାଇପର୍‌, ଗ୍ରୀନ୍‌ ସ୍ୟାଣ୍ଡପାଇପର୍‌, ଓ୍ବାର୍ବଲର୍‌, ବବ୍‌ଲର୍‌, ବି-ଇଟର୍‌, ବୁଲ୍‌ବୁଲ୍‌, ବଣ୍ଟିଙ୍ଗ ବାର୍ଡ, ଚାଟ୍‌ ବାର୍ଡ, ପେଣ୍ଟେଡ୍‌ ଫ୍ରାଙ୍କୋଲିନ୍ସ, କ୍ୱାଇଲ୍ସ, ଓସ୍‌ପ୍ରେ, ପେରେଗ୍ରାଇନ୍‌ ତଥା ଛଞ୍ଚାଣଜାତୀୟ ଅନେକ ପକ୍ଷୀ ଏଠାରେ ଦେଖିବାକୁ ମିଳିଥାନ୍ତି। ସେହିପରି ସାରସ୍‌ କ୍ରେନ୍‌କୁ ଦେଖିବା ଏଠାକାର ଅନ୍ୟତମ ଆକର୍ଷଣ।

ତେବେ ଏହି ଅଭୟାରଣ୍ୟରେ ଯେ କେବଳ ପକ୍ଷୀ ଦେଖାଯାଇଥାନ୍ତି ତାହା ନୁହେଁ, ଅନ୍ୟାନ୍ୟ ଜୀବଜନ୍ତୁ ବି ଏଠାରେ ଅଛନ୍ତି। ଯେମିତି କି ନୀଳଗାଈ, ଜଙ୍ଗଲୀ ଗାଈ, ହରିଣ, ଶମ୍ବର, ବାର୍‌ହା, ନେଉଳ, ଝିଙ୍କ, ବିଲୁଆ, ହେଟାବାଘ, ଜଙ୍ଗଲୀ ମୂଷା ଇତ୍ୟାଦି। ଏତଦ୍‌ବ୍ୟତୀତ ଏଠାରେ ଥିବା ସାତ ପ୍ରଜାତିର କଇଁଛ, ପାଞ୍ଚ ପ୍ରଜାତିର ଝିଟିପିଟି, ତେର ପ୍ରଜାତିର ସାପ ତଥା ସାତ ପ୍ରଜାତିର ବିଭିନ୍ନ ଉଭୟଚର ପ୍ରାଣୀ ବି ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ।

କେବେ ଓ କେମିତି ଯିବେ
ବର୍ଷର ଯେ କୌଣସି ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ, ଶୀତଦିନ ହେଉଛି ଏଠାକୁ ଆସିବା ପାଇଁ ସବୁଠୁ ଉପଯୁକ୍ତ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବା ପାଇଁ ଅନୁକୂଳ ଥାଏ। ତା’ଛଡ଼ା ପର୍ଯ୍ୟଟକଙ୍କୁ ଏହିଦିନେ ଅନେକ ଭ୍ରମଣକାରୀ ପକ୍ଷୀଙ୍କୁ ଦେଖିବା ପାଇଁ ସୁଯୋଗ ମିଳିଥାଏ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ମଧ୍ୟ ବେଶ୍‌ ସୁବିଧା ରହିଛି। ଉକ୍ତ ଅଭୟାରଣ୍ୟଠାରୁ ମାତ୍ର ୫ କି.ମି. ଦୂରରେ ରହିଛି ଭରତପୁର ଜଙ୍କଶନ ରେଳଷ୍ଟେଶନ। ନୂଆଦିଲ୍ଲୀ, ବମ୍ବେ, ଆଗ୍ରାରୁ ନିୟମିତ ବ୍ୟବଧାନରେ ଏଠାକୁ ଟ୍ରେନ୍‌ ଚଳାଚଳ କରିଥାଏ। ତା’ଛଡ଼ା ଦିଲ୍ଲୀ, ଆଗ୍ରା, ମଥୁରା, ଜୟପୁର, ଅଲଓ୍ବାର୍‌ ଆଦି ସ୍ଥାନରୁ ଏଠାକୁ ନିୟମିତ ବସ୍‌ ମଧ୍ୟ ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଏଠାରେ ଆରାମରେ ପହଞ୍ଚତ୍ପାରିବେ।

କିଛି ସୂଚନା
ପର୍ଯ୍ୟଟକଙ୍କ ନିମନ୍ତେ ଏହି ଅଭୟାରଣ୍ୟଟି ବର୍ଷସାରା ସୂର୍ଯ୍ୟୋଦୟ ସମୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଖୋଲା ରହିଥାଏ। ବର୍ଷକୁ ପ୍ରାୟ ଏକ ଲକ୍ଷ ପାଖାପାଖି ଭାରତୀୟ ପର୍ଯ୍ୟଟକ ଏଠାକୁ ବୁଲି ଆସୁଥିବା ସୂଚନା ରହିଛି। ସେହିପରି ବର୍ଷକୁ ୪୦ରୁ ୪୫ ହଜାର ପର୍ଯ୍ୟନ୍ତ ବିଦେଶୀ ପର୍ଯ୍ୟଟକ ଏଠାକୁ ଆସୁଥିବା ଅନୁମାନ ମଧ୍ୟ କରାଯାଏ। ତା’ଛଡ଼ା ଉକ୍ତ ଅଭୟାରଣ୍ୟ ମଧ୍ୟରେ ଖାଇବା, ପିଇବା ଓ ରହିବା ପାଇଁ ବି ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri