ନୂଆଦିଲ୍ଲୀ,୨।୯: ପତ୍ନୀଙ୍କ ପରକୀୟା ସମ୍ପର୍କ ଉପରେ ସନ୍ଦେହ ଉପୁଜିବା ପରେ ଆରମ୍ଭ ହେଲା ବିବାଦ । ସନ୍ଦେହ ଦୂର କରିବା ପାଇଁ ସ୍ୱାମୀ ଏମିତି ଏକ ପଦକ୍ଷେପ ନେଲେ, ଯାହା ତାଙ୍କୁ ନିଜ ମାମଲାରେ ବିଜୟ ଦେଲା ସତ, କିନ୍ତୁ ଶେଷରେ ନିଜେ ଜେଲ୍ ଯିବାକୁ ପଡ଼ିଲା। ତାଇୱାନର ଏହି ଘଟଣା ଏବେ ଗୋପନୀୟତା ଅଧିକାର ଓ ଆଇନକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି।
ତାଇୱାନର ଜଣେ ବ୍ୟକ୍ତିଙ୍କୁ ନିଜ ପତ୍ନୀଙ୍କ ପରକୀୟା ସମ୍ପର୍କ ଥିବା ନେଇ ସନ୍ଦେହ ହୋଇଥିଲା। ପତ୍ନୀଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିବା ପାଇଁ ସେ ଘରେ ଥିବା ଏକ ରୋବୋଟ୍ ଭାକ୍ୟୁମ୍ କ୍ଲିନର୍କୁ ବ୍ୟବହାର କରିଥିଲେ। ୨୦୨୧ରେ ଏହି ଦମ୍ପତିଙ୍କ ବିବାହ ହୋଇଥିଲା ଏବଂ ସେମାନେ ସ୍ୱାମୀଙ୍କ ମାତାପିତାଙ୍କ ସହ ରହୁଥିଲେ। ଛୁଟି କାଟିବା ପାଇଁ ସେମାନଙ୍କର ଆଉ ଏକ ଘର ମଧ୍ୟ ଥିଲା। ୨୦୨୩ ସେପ୍ଟେମ୍ବରରେ ସେହି ଘରେ ବ୍ୟବହୃତ ଟୁଥ୍ବ୍ରଶ୍ ମିଳିବା ପରେ ସ୍ୱାମୀଙ୍କ ସନ୍ଦେହ ଆହୁରି ବଢ଼ିଥିଲା। ପରେ ସେ ପାର୍କିଂ ଲଟ୍ର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ଫୁଟେଜ୍ରେ ଜଣେ ଅଜଣା ବ୍ୟକ୍ତି ପତ୍ନୀଙ୍କୁ ଘରେ ଛାଡ଼ି ଯାଉଥିବା ଦେଖିବାକୁ ମିଳିଥିଲା।
ଏହାପରେ ସ୍ୱାମୀ ମୋବାଇଲ୍ ଆପ୍ ଜରିଆରେ ଦୂରରୁ ରୋବୋଟ୍ ଭାକ୍ୟୁମ୍କୁ ଚଳାଇଥିଲେ। ଏହି ଡିଭାଇସ୍ରେ ଅଡିଓ ଫଙ୍କସନ୍ ମଧ୍ୟ ଥିଲା। ପତ୍ନୀଙ୍କ ସହ କଥା ହେବା ଉଦ୍ଦେଶ୍ୟରେ ସେ ଏହାକୁ ବ୍ୟବହାର କରିବାକୁ ଚାହିଁଥିଲେ। କିନ୍ତୁ ଲାଇଭ୍ ଫିଡ୍ରେ ସେ ନିଜ ପତ୍ନୀଙ୍କୁ ଜଣେ ଅନ୍ୟ ପୁରୁଷଙ୍କ ସହ ଆପତ୍ତିଜନକ ପରିସ୍ଥିତିରେ ଦେଖିଥିବା ଦାବି କରିଥିଲେ। ସ୍ୱାମୀ ଏହି ଫୁଟେଜ୍କୁ ରେକର୍ଡ କରି ପରେ ଅଦାଲତରେ ପ୍ରମାଣ ଭାବେ ଦାଖଲ କରିଥିଲେ। ଏହି ଫୁଟେଜ୍ ଆଧାରରେ ସ୍ୱାମୀ ନିଜ ପତ୍ନୀ ଓ ତାଙ୍କ କଥିତ ପ୍ରେମିକଙ୍କ ବିରୋଧରେ ସିଭିଲ୍ ମାମଲା କରିଥିଲେ। ସେ ପ୍ରାୟ ୨ ମିଲିୟନ୍ ନ୍ୟୁ ତାଇୱାନ୍ ଡଲାର୍ କ୍ଷତିପୂରଣ ଦାବି କରିଥିଲେ।
ଅଦାଲତ ନିଷ୍କର୍ଷରେ ପହଞ୍ଚିଥିଲେ ଯେ ଦୁଇଜଣଙ୍କ ସମ୍ପର୍କ ସାଧାରଣ ବନ୍ଧୁତ୍ୱଠାରୁ ଅଧିକ ଥିଲା। ଏହାପରେ ପତ୍ନୀ ଓ ଅନ୍ୟ ବ୍ୟକ୍ତିଙ୍କୁ ପ୍ରାୟ ୫ ଲକ୍ଷ ନ୍ୟୁ ତାଇୱାନ୍ ଡଲାର୍ କ୍ଷତିପୂରଣ ଦେବାକୁ ଆଦେଶ ଦିଆଯାଇଥିଲା। କିନ୍ତୁ ଏହାପରେ ସ୍ୱାମୀ ନିଜେ ଆଇନଗତ ଅସୁବିଧାରେ ପଡ଼ିଥିଲେ। ପତ୍ନୀ ଗୋପନୀୟତା ଉଲ୍ଲଂଘନ ନେଇ ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେଇଥିଲେ। ସ୍ୱାମୀଙ୍କ ଯୁକ୍ତି ଥିଲା ଯେ ଭିଡିଓକୁ ଅଦାଲତ ସିଭିଲ୍ ମାମଲାରେ ପ୍ରମାଣ ଭାବେ ଗ୍ରହଣ କରିଛନ୍ତି, ତେଣୁ ତାଙ୍କ ରେକର୍ଡିଂ ବେଆଇନ ନୁହେଁ। କିନ୍ତୁ ଅଦାଲତ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ। ଅଦାଲତ କହିଥିଲେ ଯେ ବିବାହିତ ସମ୍ପର୍କରେ ଥିବା କାରଣରୁ କୌଣସି ବ୍ୟକ୍ତିଙ୍କ ଗୋପନୀୟତାର ଅଧିକାର ଶେଷ ହୋଇଯାଏ ନାହିଁ।
ଶେଷରେ ଅନୁମତି ବିନା ପତ୍ନୀଙ୍କ ବ୍ୟକ୍ତିଗତ ମୁହୂର୍ତ୍ତ ରେକର୍ଡ କରିଥିବା ଅଭିଯୋଗରେ ସ୍ୱାମୀଙ୍କୁ ୫ ମାସ ଜେଲ୍ ଦଣ୍ଡ ଦିଆଯାଇଥିଲା। ଏଥିସହ ତାଙ୍କ ଉପରେ ୧.୫ ଲକ୍ଷ ନ୍ୟୁ ତାଇୱାନ୍ ଡଲାର୍ ଜରିମାନା ମଧ୍ୟ ଲାଗୁ ହୋଇଥିଲା। ତାଇୱାନର ଆଇନ ଅନୁସାରେ, କାହାରି ଅନୁମତି ବିନା ତାଙ୍କ ବ୍ୟକ୍ତିଗତ ମୁହୂର୍ତ୍ତକୁ ରେକର୍ଡ କିମ୍ବା ପ୍ରକାଶ କରିବା ଅପରାଧ ହୋଇପାରେ। ଏଥିପାଇଁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୩ ଲକ୍ଷ ନ୍ୟୁ ତାଇୱାନ୍ ଡଲାର୍ ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି।