ପ୍ରସ୍ତୁତ ହେଉଛି ତାଇଓ୍ବାନ

ବେଜିଂ/ତାଇପେଇ, ୧୦ା୮: ଆମେରିକା ସହ ରୁଷିଆର ତିକ୍ତତା ବୃଦ୍ଧି ଏବଂ ୟୁକ୍ରେନ୍‌କୁ ନାଟୋରୁ ଦୂରେଇ ରଖି ପଡୋଶୀ ରାଷ୍ଟ୍ର ଉପରେ ନିୟନ୍ତ୍ରଣ ରଖିବା ଉଦ୍ଦେଶ୍ୟରେ ମସ୍କୋ ଏହି ପୂର୍ବ ୟୁରୋପୀୟ ଦେଶରେ ଆକ୍ରମଣ ଜାରି ରଖିଛି। ଏବେ ଅନୁରୂପ ଭବିଷ୍ୟତ ଆଶଙ୍କାରେ ରହିଛି ସ୍ବୟଂଶାସିତ ଦ୍ୱୀପରାଷ୍ଟ୍ର ତାଇଓ୍ବାନ। ଏହି ଦ୍ୱୀପକୁ ନିଜର ବୋଲି ଚାଇନା ଦାବି କରୁଆସୁଥିବାବେଳେ ଗତ ୩ ତାରିଖରେ ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ଗସ୍ତକୁ ନେଇ ବେଜିଂ ଆକ୍ରୋଶମୂଳକଭାବେ ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିଛି। ତାଇଓ୍ବାନ ଚାରିପଟେ ଚାଇନା ସେନା ଘେରି ରହିଥିବାବେଳେ ବେଜିଂ ଯୁଦ୍ଧ ସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ କରିଛି ତାଇପେଇ। ଏଥିସହ ନିଜ ଗଣତନ୍ତ୍ର ଏବଂ ସାର୍ବଭୌମତ୍ୱ ରକ୍ଷା ପାଇଁ ତାଇଓ୍ବାନ ମଙ୍ଗଳବାର ଦେଶର ଦକ୍ଷିଣପ୍ରାନ୍ତରେ ଥିବା ପିଙ୍ଗ୍‌ଟଙ୍ଗ୍‌ଠାରେ ସମରାଭ୍ୟାସ ଆରମ୍ଭ କରିଛି।
ବିଶ୍ୱ ୟୁକ୍ରେନ୍‌ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଚଳାଇଥିବା ଧ୍ୱଂସଲୀଳାକୁ ଦେଖୁଥିବାବେଳେ ତାଙ୍କ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗ୍‌ ତାଇଓ୍ବାନ ଦଖଲର ମହତ୍ତାକାଂକ୍ଷା ପୂରଣ ପାଇଁ ରଣନୀତି କାର୍ଯ୍ୟକାରୀ କରିବା ଯୋଜନା ଆରମ୍ଭ କରିଛନ୍ତି। ଆର୍ଥିକ ଓ ସାମରିକ ଦୃଷ୍ଟିରୁ ପୂର୍ବାପେକ୍ଷା ନିଜକୁ ଅଧିକ ମଜଭୁତ କରିଥିବା ଚାଇନା ଏବେ ତାଇଓ୍ବାନ ଉପରେ ଚାପ ପକାଇ ‘ଆର୍ଟ ଅଫ୍‌ ଓ୍ବାର’ ଢଙ୍ଗରେ ଆତ୍ମସମର୍ପଣ ପାଇଁ ବାଧ୍ୟ କରାଇବାକୁ ଉଦ୍ୟମ କରୁଛି। କିନ୍ତୁ ଚାଇନା ତାଇଓ୍ବାନ ଉପରେ ଆକ୍ରମଣ କରିବା ଏକ ସମ୍ଭାବନାଠାରୁ ଅଧିକ। କାରଣ ଆବଶ୍ୟକ ପଡ଼ିଲେ ଏହି ଦ୍ୱୀପକୁ ଜୋରଜବରଦସ୍ତ ମୁଖ୍ୟ ଚାଇନା ଭୂମି ସହ ମିଶାଯିବ ବୋଲି ପୂର୍ବରୁ ଜିନ୍‌ପିଙ୍ଗ୍‌ କହିଆସିଛନ୍ତି। ତାଇପେଇ ଉପରେ ବେଜିଂ ଆକ୍ରମଣ କଲେ ଏହା ଆଗରେ ୟୁକ୍ରେନ୍‌ ଯୁଦ୍ଧ ଫିକା ପଡ଼ିଯିବ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଚାଇନା ଏହାର ସାମରିକ ଶକ୍ତିକୁ ଯଥେଷ୍ଟ ବଢ଼ାଇବା ସହ ସମୁଦ୍ରରେ ଖୁବ୍‌କମ୍‌ ସମୟ ମଧ୍ୟରେ ବହୁସଂଖ୍ୟାରେ ଯୁଦ୍ଧପୋତ ମୁତୟନ କରିପାରିଛି। ପିପୁଲ୍ସ ଲିବରେଶନ ଆର୍ମି(ପିଏଲ୍‌ଏ) କ୍ରମାଗତଭାବେ ତାଇଓ୍ବାନ ନିକଟରେ ମିଶାଇଲ ପରୀକ୍ଷଣ ସହ ସମରାଭ୍ୟାସ ଜାରି ରଖିଛି। ବହୁବାର ଚାଇନାର ବାୟୁସେନା ବିମାନ ତାଇଓ୍ବାନ ବାୟୁସୀମା ଭେଦ କରି ଉଡ଼ାଣ ଭରିଛି। ବିଗତ ଦଶନ୍ଧିରେ ଚାଇନାର ଦ୍ରୁତ ଆର୍ଥିକ ଅଭିବୃଦ୍ଧି, ନୌସେନା ଏବଂ ମିଶାଇଲ ଫୋର୍ସ ବଢ଼ାଇବା ଆଦି ଦିଗରେ ବେଜିଂ ବେଶ୍‌ ଆଗେଇଛି। ଏହାର ଟେକ୍ନୋଲୋଜିକୁ ଅଧିକ ସୁଦୃଢ଼ କରିଛି। ଚାଇନା ଲିଡରଙ୍କ ପ୍ରମୁଖ ସ୍ବପ୍ନ ମଧ୍ୟରେ ତାଇଓ୍ବାନ ଦଖଲ, ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସମ୍ପୂର୍ଣ୍ଣ କବ୍‌ଜା, ସବୁଠାରୁ ବଡ଼ ଅର୍ଥନୀତିର ଦେଶ ଆଦି ରହିଛି।

Share