ଏକ ଲକ୍ଷ ଭାରତୀୟଙ୍କୁ ଚାକିରି ଦେବା ଖବରକୁ ମିଛ ବୋଲି କହିଲା ତାଇଓ୍ବାନ, ଭାଇରାଲ ହେଲା ଭିଡିଓ…

ତାଇପେ,୧୮।୧୧ : ସାମ୍ପ୍ରତିକ ଖବର ଅନୁଯାୟୀ ତାଇୱାନ ଭାରତର ନିକଟତର ହେବାକୁ ଚାହୁଁଛି। ମିଡିଆ ରିପୋର୍ଟରେ କୁହାଯାଇଛି ତାଇୱାନ ଭାରତରୁ ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦେଇଥିଲା। ଏହା ମଧ୍ୟ କୁହାଯାଇଥିଲା ଏହି କର୍ମଚାରୀମାନେ ଶୀଘ୍ର ତାଇୱାନ ଯିବେ। ଏ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ହେବାର ଆଲୋଚନା ହୋଇଥିଲା। ଏହାର କାରଣ ତାଇୱାନର ବୃଦ୍ଧଙ୍କ ଜନସଂଖ୍ୟା ବୃଦ୍ଧି ବୋଲି କୁହାଯାଇଥିଲା। ଏହି ଖବର ଭାଇରାଲ ହେଉଥିଲା।

ତାଇୱାନ ସରକାର ଏହାକୁ ଏବେ ମିଥ୍ୟା ଖବର ବୋଲି କହିଛନ୍ତି ଏବଂ ଏହାକୁ ଅସ୍ବୀକାର କରିଛନ୍ତି। ତାଇୱାନର ଶ୍ରମ ମନ୍ତ୍ରୀ ସୁ ମିଙ୍ଗ-ଚୁନ ଏହି ଖବରକୁ ମିଥ୍ୟା ବୋଲି କହିଛନ୍ତି। ସେ କହିଛନ୍ତି ଉଭୟ ଦେଶ ଏ ବିଷୟରେ କଥାବାର୍ତ୍ତା କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ମନ୍ତ୍ରୀ କହିଛନ୍ତି ଅନାବଶ୍ୟକ ଆତଙ୍କ ସୃଷ୍ଟି କରିବା ପାଇଁ ତଥ୍ୟକୁ ବ୍ୟବହାର କରାଯାଇଛି ବୋଲି ସେ ସନ୍ଦେହ କରୁଛନ୍ତି। କୁହାଯାଉଛି ଏଥିରେ ଜାତିଭେଦ ମାମଲା ରହିଛି। ତାଇୱାନର ସାଧାରଣ ନାଗରିକମାନେ ଏହାକୁ ବିରୋଧ କରୁଛନ୍ତି।

ନ୍ୟୁଜ ୱେବସାଇଟ ରିପୋର୍ଟ ଅନୁସାରେ ତାଇୱାନର ଶ୍ରମ ମନ୍ତ୍ରଣାଳୟ ଭାରତୀୟ ଶ୍ରମିକମାନଙ୍କୁ ତାଇୱାନ ବଜାରକୁ ଆଣିବା ପାଇଁ ଯୋଜନା ଘୋଷଣା କରିବା ମାତ୍ରେ ସୋସିଆଲ ମିଡିଆରେ ତାଇୱାନର ମହିଳାମାନଙ୍କ ସୁରକ୍ଷା ବିପଦରେ ପଡ଼ିବ ବୋଲି କୁହାଯାଇଛି।

ପ୍ରଶ୍ନ ହେଉଛି ମହିଳାଙ୍କ ସୁରକ୍ଷାକୁ ନେଇ ଭାରତକୁ ବଦନାମ କରିବା ପାଇଁ ବିଦେଶୀ ଗଣମାଧ୍ୟମ ଦ୍ୱାରା ଏକ ଷଡଯନ୍ତ୍ର ରଚିଛି କି? ତାଇୱାନ ଗଣମାଧ୍ୟମ ଏହା ମଧ୍ୟ କହିଛି ଯେ ଏହି ଖବର ବାହାରିବା ପରେ ସେଠାକାର ଲୋକମାନେ ସୋସିଆଲ ମିଡିଆରେ ଭାରତୀୟଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ। ଖବର ଅନୁଯାୟୀ ତାଇୱାନର ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ସେଠାରେ ଜନସଂଖ୍ୟା ପ୍ରାୟ ୨ କୋଟି ୩୦ ଲକ୍ଷ ।

 

 

 

Share