Categories: ଜାତୀୟ

ସାଇକେଲରେ ଆସି ପ୍ରାର୍ଥିପତ୍ର ଦାଖଲ କଲେ ଦର୍ଜି, କହିଲେ ବିଧାୟକ ହେଲେ ପ୍ରଥମେ ନିଜର ବିକାଶ କରିବି

ଶେଖପୁରା,୯ ।୧୦: ବିଧାୟକ ହେଲେ ପ୍ରଥମେ ଜନତାଙ୍କ ପାଇଁ କାମ କରିବି । ଏଭଳି କଥା ପ୍ରାୟ ସବୁ ରାଜନେତା ନିର୍ବାଚନ ପୂର୍ବରୁ କହିଥିବା ସମସ୍ତେ ଜାଣନ୍ତି । ହେଲେ ଶେଖପୁରାର ବରବିଘା ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣେ ଦର୍ଜିଙ୍କ କଥା ଏବେ ଆସିଛି ଚର୍ଚ୍ଚାକୁ । ସାଇକେଲରେ ଆସି ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଦର୍ଜି ଜଣଙ୍କ କହିଛନ୍ତି ଯଦି ବିଧାୟକ ହେଲି ତେବେ ପ୍ରଥମେ ନିଜର ବିକାଶ କରିବି ତା’ପରେ ଜନତାଙ୍କ କଥାଚିନ୍ତା କରିବି । ଏହି ଦର୍ଜିଙ୍କ ନାଁ ହେଉଛି ରାଜେନ୍ଦ୍ର ପ୍ରସାଦ । ସେ ପୁରନକାମା ଗାଁର ବାସିନ୍ଦା । ବିହାର ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରାର୍ଥିପତ୍ର ଦାଖଳ ହେଉଥିବା ବେଳେ ସେ ଶୁକ୍ରବାର ସାଇକେଲରେ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଆଉ ଖୋଲାଖୋଲି ଭାବେ କହିଛନ୍ତି ସେ ଲୋକତନ୍ତ୍ରକୁ ମଜଭୁତ କରିବାକୁ ନେତା ହେବାକୁ ଚାହୁଁଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଲୋକେ ନେତା ହେବା ପରେ ଦିଲ୍ଲୀ, ମୁମ୍ବାଇରେ ଫ୍ଲାଟ କିଣୁଛନ୍ତି । ହେଲେ ମୁଁ ଏତେ ବର୍ଷ ହେବ ପରିଶ୍ରମ କରି କିଛି ପାଇ ପାରିନାହିଁ । କେବଳ ଜଣେ ଦର୍ଜି ହୋଇ ରହିଯାଇଛି । ତେଣୁ ବିଧାୟକ ଭାବେ ନିର୍ବାଚିତ ହେଲେ ପ୍ରଥମେ ନିଜର ଓ ମୋ ପରିବାରର ବିକାଶ କରିବି ତା’ପରେ ଯାଇ ଜନତାଙ୍କ କଥା ଚିନ୍ତା କରିବି । ରାଜେନ୍ଦ୍ରଙ୍କ ଏହି କଥା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

Share