ଟାଏକୋଣ୍ଡୋରେ ୧୮ ସ୍ବର୍ଣ୍ଣ, ୭ ରୌପ୍ୟ, ୫ ବ୍ରୋଞ୍ଜ ପଦକ ହାସଲ

ଛତ୍ରପୁର,୨୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଟାଏକୋଣ୍ଡୋ କ୍ରୀଡାବିତ୍‌ମାନେ ଆନ୍ତର୍ଜାତିକ ସ୍ତରରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ଛତ୍ରପୁରସ୍ଥିତ କେଏମ୍‌ପି ସ୍ପୋଟର୍‌ସ ଏକାଡେମୀର ମୁଖ୍ୟ ପ୍ରଶିକ୍ଷକ ତଥା ୫ମ ଡାନ୍‌ ବ୍ଲାକ ବେଲ୍ଟଧାରୀ ଆନ୍ତର୍ଜାତିକ କୋଚ ତଥା ରେଫରୀ କେ. ମନୋଜ ପ୍ରଧାନଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଯୋଗୁ ଏକାଡେମୀର ୩୦ ଛାତ୍ରୀଛାତ୍ର ଥାଇଲାଣ୍ଡରେ ଆୟୋଜିତ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଆଭାସୀ ମାଧ୍ୟମରେ ଅଂଶ ଗ୍ରହଣ କରି ୧୮ ସ୍ବର୍ଣ୍ଣ, ୭ ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗଞ୍ଜାମ ଜିଲା ଟାଏକୋଣ୍ଡୋ ସଂଘ ପକ୍ଷରୁ ଆଭାସୀ ପ୍ରତିଯୋଗିତା ନିମନ୍ତେ ସମସ୍ତ ବୈଷୟିକ ଜ୍ଞାନକୌଶଳର ବନ୍ଦୋବସ୍ତ କରାଯାଇଥିଲା। ଡାକ ଯୋଗେ ପଦକଗୁଡ଼ିକ ପହଞ୍ଚତ୍ବା ପରେ ଶନିବାର ସନ୍ଧ୍ୟାରେ ଛତ୍ରପୁର ଲକ୍ଷ୍ମଣ ଭବନ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀମାନଙ୍କୁ ତାହା ବଣ୍ଟନ କରାଯାଇଥିଲା। ଗଞ୍ଜାମ ଜିଲା ଟାଏକୋଣ୍ଡୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ପଦକ ବଣ୍ଟନ କରିଥିଲେ। ଏନ୍‌ଆଇଏସ୍‌ ତାଲିମପ୍ରାପ୍ତ ଜାତୀୟ ସ୍ତରର କୋଚ ଇ. ଲଳିତ କୁମାର ଓ ସି. ଏଚ. ପ୍ରସାଦ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ କ୍ରୀଡ଼ାବିତ୍‌ ରୁଦ୍ର ନାରାୟଣ ବେହେରା, ପୀୟୂଷ ପ୍ରସାଦ ଷଡ଼ଙ୍ଗୀ, ମିଲୁ ମହାପାତ୍ର ଓ ପି. ଅଭିମନ୍ୟୁ ରେଡ୍ଡୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share