ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ ଏହି ଖେଳର ପ୍ରଶାସନ ପରିଚାଳନା ପାଇଁ ଏକ ଆହ୍ଡ୍ ହକ୍ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟିଟିଏଫ୍ଆଇ ଭିତରେ ରହିଥିବା ପ୍ରଶାସନିକ ତ୍ରୁଟି ଏବଂ ଅନିୟମିତତାଗୁଡ଼ିକର ଏହି କମିଟି ଯାଞ୍ଚ କରିବ। ସମୟ ମଧ୍ୟରେ ନିର୍ବାଚନ କରାଇବାରେ ବିଫଳ ହୋଇଥିବାରୁ ମନ୍ତ୍ରଣାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଚଳିତ ବର୍ଷର ଆରମ୍ଭରେ ମନ୍ତ୍ରଣାଳୟ ପକ୍ଷରୁ ଟିଟିଏଫ୍ଆଇକୁ ଏକ ନୋଟିସ୍ ଜାରି କରାଯାଇଥିବା ବେଳେ ସେମାନେ ଏହାର କୌଣସି ସନ୍ତୋଷଜନକ ଜବାବ ଦେଇ ନଥିଲେ।
କ୍ରୀଡ଼ା ମନ୍ତ୍ରଣାଳୟ ଏହାର ନିର୍ଦ୍ଦେଶରେ ସ୍ପଷ୍ଟ କରିଛି ଯେ, ଆଇଓଏ (IOA) ଏବଂ ଆଇଟିଟିଏଫ୍ (ITTF) ସହିତ ପରାମର୍ଶ କରି ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘରେ ଥିବା ସମସ୍ତ ତ୍ରୁଟିକୁ ଦୂର କରିବ। ବର୍ତ୍ତମାନର ସମୟରେ ଟିଟିଏଫ୍ଆଇକୁ ମେଘନା ଅହଲାୱତ ପରିଚାଳନା କରୁଛନ୍ତି, ଯିଏକି ଏହାର ପ୍ରଥମ ମହିଳା ଅଧ୍ୟକ୍ଷ ଏବଂ ହରିୟାଣାର ବିଧାୟକ ଦୁଷ୍ୟନ୍ତ ଚୌତାଳାଙ୍କ ପତ୍ନୀ ଅଟନ୍ତି। ଦୁଷ୍ୟନ୍ତ ହେଉଛନ୍ତି ଟିଟିଏଫ୍ଆଇର ପୂର୍ବତନ ଅଧ୍ୟକ୍ଷ ଅଜୟ ସିଂହ ଚୌତାଳାଙ୍କ ପୁଅ। ମେଘନା ୨୦୨୨ ମସିହା ଡିସେମ୍ବର ମାସରେ ଏହି ପଦଭାର ଗ୍ରହଣ କରିଥିଲେ।
ଗତ କିଛି ମାସ ଧରି ଟିଟିଏଫ୍ଆଇ ଭିତରେ ବେଶ୍ ଅସ୍ଥିରତା ଏବଂ ଗଣ୍ଡଗୋଳ ଲାଗି ରହିଥିଲା। ଗତ ଜାନୁଆରୀ ମାସରେ ଆର୍ଥିକ ଅନିୟମିତତା ଅଭିଯୋଗରେ ମହାସଂଘ ନିଜର ମହାସଚିବ ତଥା ପୂର୍ବତନ ଖେଳାଳି କମଳେଶ ମେହେଟ୍ଟାଙ୍କୁ ସସ୍ପେଣ୍ଡ କରିଥିଲା। ମେହେଟ୍ଟା ଏହି ମାମଲାକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବା ପରେ ତାଙ୍କର ସସପେନ୍ସନ୍ ରଦ୍ଦ କରାଯାଇଥିଲା।
ଷ୍ଟାର୍ ପ୍ୟାଡ୍ଲର୍ ମନିକା ବତ୍ରାଙ୍କ ବିବାଦ ପରେ ଏହି ସଂସ୍ଥା ବିରୁଦ୍ଧରେ ବିବାଦ ଆହୁରି ବଢ଼ିଯାଇଥିଲା। ମନିକା ବତ୍ରାଙ୍କୁ ଏସୀୟ କ୍ରୀଡ଼ା ଦଳରୁ ବାହାର କରାଯିବା ପରେ ଏହି ସଂସ୍ଥାକୁ ନେଇ ବେଶ୍ ସମାଲୋଚନା ହୋଇଥିଲା। ବତ୍ରା ସର୍ବସାଧାରଣରେ ଏହି ନିଷ୍ପତ୍ତିର କଡ଼ା ବିରୋଧ କରିବା ସହିତ କ୍ରୀଡ଼ା ମନ୍ତ୍ରଣାଳୟକୁ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ମନ୍ତ୍ରଣାଳୟ ଟିଟିଏଫ୍ଆଇକୁ ପ୍ରଭାବିତ କରୁଥିବା ସମସ୍ତ ପ୍ରସଙ୍ଗକୁ ଗ୍ରହଣ କରି ଏହାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା, ଯାହାର ସନ୍ତୋଷଜନକ ଉତ୍ତର ମହାସଂଘ ଦେଇପାରି ନ ଥିଲା।