ଆଜିଠାରୁ ଅନୁଗୋଳରେ ଟେବୁଲ ଟେନିସ୍‌ ଚାମ୍ପିୟନଶିପ

ଅନୁଗୋଳ ଅଫିସ, ୧୪ା୧୨: ଅନୁଗୋଳ ଟେବୁଲ ଟେନିସ୍‌ ଏକାଡେମୀ ତଥା ଅନୁଗୋଳ ଷ୍ଟାଡିୟମସ୍ଥିତ ଇନଣ୍ଡୋର ହଲ୍‌ରେ ୨୮ତମ ଆନ୍ତଃଜିଲା ଓ ରାଜ୍ୟ ଟେବୁଲ ଟେନିସ ଚାମ୍ପିୟନଶିପ ବୁଧବାରଠାରୁ ଆରମ୍ଭ ହେବ। ଏହି ଚାମ୍ପିୟନଶିପରେ ୧୪ଟି ବର୍ଗରେ ପ୍ରତିଯୋଗିତା ଆୟୋଜନ କରାଯିବ। ପୁରୁଷ ଓ ଜୁନିୟର ବାଳକ ବିଭାଗରେ ଦଳଗତ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବାବେଳେ ସିନିୟର ମହିଳା ଓ ପୁରୁଷ, ୟୁଥ୍‌ ବାଳିକା ଓ ବାଳକ (୧୯ ବର୍ଷରୁ କମ୍‌), ଜୁନିୟର ବାଳିକା ଓ ବାଳକ (୧୭ ବର୍ଷରୁ କମ୍‌), ସବ୍‌ଜୁନିୟର ବାଳିକା ଓ ବାଳକ (୧୫ ବର୍ଷରୁ କମ୍‌), କ୍ୟାଡେଟ୍‌ ବାଳିକା ଓ ବାଳକ (୧୩ ବର୍ଷରୁ କମ୍‌) ଏବଂ ହୋପ୍‌ ବାଳିକା ଓ ବାଳକ (୧୧ ବର୍ଷରୁ କମ୍‌) ବର୍ଗରେ ସିଙ୍ଗଲ୍ସ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଅପରାହ୍ନ ୧ଟାରେ ଏହା ଉଦ୍‌ଘାଟିତ ହେବ। ରାଜ୍ୟରୁ ପାଖାପାଖି ୨୫୦ ପ୍ରତିଯୋଗୀ ଏଥିରେ ଭାଗନେବେ। ୨୦ରୁ ଅଧିକ ଜିଲା ଏବଂ ୧୦ରୁ ଅଧିକ ଅନୁଷ୍ଠାନରୁ ଖେଳାଳିମାନେ ଆସି ଅଂଶଗ୍ରହଣ କରିବେ। ଏହାର ଆୟୋଜନରେ ଅନୁଗୋଳ ଜିଲା ପ୍ରଶାସନ ସମସ୍ତ ପ୍ରକାର ସହଯୋଗ ଓ ସହାୟତା କରୁବ ବୋଲି ଇନଣ୍ଡୋର ହଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅନୁଗୋଳ ଉପଜିଲାପାଳ ବଇତୁରା ଦୀପ୍‌ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଟେବୁଲ ଟେନିସ୍‌ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ାଙ୍କ ସହ ଜିଲା କ୍ରୀଡ଼ା ଅଧିକାରୀ ଅକ୍ଷୟ ସିଠ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦୁଃଶାସନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।