ରାଗିଲେ ତାପସୀ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ଅଭିନୟ ପାଇଁ ଖୁବ୍ ଚର୍ଚ୍ଚିତ । ସବୁବେଳେ ସେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିବାକୁ ପସନ୍ଦ କରିଥାଆନ୍ତି । ଆଉ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକା ବେଳେ ବେଳେ କୌଣସି ବିଷୟକୁ ନେଇ ନିଜର ମତ ରଖି ବି ଚର୍ଚ୍ଚାକୁ ଆସିଥାଆନ୍ତି । ଏବେ ତାପସୀ ତାଙ୍କ ଅପକମିଂ ଫିଲ୍ମ ‘ସାବାସ ମିଠୁ’ ପାଇଁ ଅଛନ୍ତି ଚର୍ଚ୍ଚାରେ । ଏଥିପାଇଁ ସେ କଡା କସରତ ବି କରୁଛନ୍ତି । କାରଣ ଭାରତୀୟ ମହିଳା କ୍ରିକେଟ ଦଳର କ୍ୟାପଟେନ ମିଥାଲି ରାଜଙ୍କ ବାୟୋପିକ୍ ହେଉଛି ‘ସାବାସ୍ ମିଠୁ’ । ତେଣୁ ଜଣେ କ୍ରିକେଟର ଭାବେ ଦର୍ଶକଙ୍କ ନିକଟରେ ପହଞ୍ଚିବାକୁ ତାପସୀ ଖୁବ୍ ପରିଶ୍ରମ କରୁଛନ୍ତି । ଏହି ଫିଲ୍ମର କିଛି ଫଟୋ ଓ ଭିଡିଓ ବି ସେ ମଝିରେ ମଝିରେ ସୋସିଆଲ ମିଡିଆରେ ଶେୟାର କରୁଥିବା ଦେଖାଯାଇଛି । ନିକଟରେ ତାପସୀ ଏକ ମିଡିଆ ପବ୍ଲିକେଶନର କ୍ଲାସ ନେଇଛନ୍ତି । ଘଟଣା ହେଲା ଉକ୍ତ ମିଡିଆ ପବ୍ଲିକେଶନ ‘ସାବାସ ମିଠୁ’ ଫିଲ୍ମର ଭିଡିଓ ଶେୟାର କରିବା ସହ ଏଥିରେ ପୂର୍ବତନ କ୍ରିକେଟର ବୋଲି ଲେଖିଦେଇଥିଲା । ହେଲେ ଏହା ତାପସୀଙ୍କୁ ଆଦୌ ପସନ୍ଦ ଆସିଲା ନାହିଁ । ଉକ୍ତ ଭିଡିଓକୁ ସେ ରିଟୁଇଟ୍ କରି ଉକ୍ତ ମିଡିଆ ପବ୍ଲିକେଶନର କ୍ଲାସ ନେଇଛନ୍ତି । ସାବାସ ମିଠୁରେ ତାପସୀ ମହିଳା କ୍ରିକେଟ କ୍ୟାପଟେନ ମିଥାଲି ରାଜଙ୍କ ଭୂମିକାରେ ଦେଖାଦେବେ । ଉକ୍ତ ମିଡିଆ ପବ୍ଲିକେଶନର ଟୁଇଟକୁ ରିଟୁଇଟ୍ କରି ତାପସୀ ଲେଖିଛନ୍ତି, ଆପଣଙ୍କୁ ଜଣାଅଛି ମିଥାଲି ଏବେବି ଟିମ୍ ଇଣ୍ଡିଆର ପ୍ଲେୟାର ଅଛନ୍ତି । ଆଉ ଏବେ ସେ ୱାର୍ଲଡ କପ୍ ପାଇଁ ଯାଉଛନ୍ତି । ମିଥାଲିଙ୍କ ଏହି ରିଟୁଇଟ୍ ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି ।

Share